ପୌର ନିର୍ବାଚନ: ଭୋଟ ଗଣତି ଆରମ୍ଭରୁ ଆଗରେ ବିଜେଡ଼ି, ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଓଡ଼ିଶା: ଆଜି ରାଜ୍ୟରେ ଚାଲିଛି ପୌର ନିର୍ବାଚନ ଲାଗି ଭୋଟ ଗଣତି । ସକାଳୁ ସକାଳୁ 8ଟାରୁ ଆରମ୍ଭ ହୋଇଯାଇଛି ଗଣତି। ତେବେ ଗଣତି ଆରମ୍ଭରୁ ବିଜେଡି ଟ୍ରେଣ୍ଡରେ ଚାଲିଆସୁଛି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।

ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ବୌଦ୍ଧରେ ସମୁଦାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ୨ଟି ୱାର୍ଡ ।

ଏହାବାଦ ରାଜ୍ୟରେ ସମୁଦାୟ ୧୦୮ ପୌରାଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡି ୫୭, ବିଜେପି ୧୯, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୭ଟିରେ ଆଗୁଆ ଅଛନ୍ତି ।

ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ। ହେଲେ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି। ଯେଉଁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗିଛନ୍ତି। ସବୁ ଦଳର ପ୍ରାର୍ଥୀ ବିଜୟ ଆଶା ବାନ୍ଧି ବସିଛନ୍ତି। ଅପେକ୍ଷା ଆଜିର ଫଳାଫଳକୁ।

ଅପରପକ୍ଷେ ଭୋଟ୍ ଗଣତି ଯେପରି ସୁରୁଖୁରୁରେ ହେବ, ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୬ଟି ପୌରାଞ୍ଚଳ ଓ ତିନିଟି ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡ଼ି ବାକି ୧୦୮ଟି ସ୍ଥାନରେ ଶନିବାର ଭୋଟ୍ ଗଣତି ହେଉଛି। ଏଥର ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ୍ ରଖାଯାଇଛି। ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ସେହିପରି ତିନିଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ୍ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ଯଥାସମ୍ଭବ ଶୀଘ୍ର ଭୋଟ୍ ଗଣତି ଶେଷ କରିବାକୁ କମିସନଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି।

Related Posts