ପୌର ନିର୍ବାଚନ: ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ

ପୌର ନିର୍ବାଚନ ପାଇଁ ନିର୍ବାଚନ ବୀଗୁଲ୍ ପରେ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ । କାହାର ପ୍ରାର୍ଥୀପତ୍ର ରହିବ ଏବଂ କାହାର କଟିବ ସେନେଇ ହେବ ତର୍ଜମା । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ୧୪ ତାରିଖ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନଏସି ଓ ୩ଟି ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ମତଦାନ କରିବେ ମତଦାତା ।

ମାର୍ଚ୍ଚ ୨୬ ତାରିଖରେ ହେବ ଭୋଟ ଗଣତି । ଅନ୍ୟପଟେ ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟରଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି । ଭୁବନେଶ୍ବରଠୁ ବ୍ରହ୍ମପୁର ଯାଏଁ ସବୁଠି ପ୍ରାର୍ଥୀ ଏବେ ଭୋଟରଙ୍କୁ ମନାଇବାରେ ଲାଗିପଡିଛନ୍ତି । ମଙ୍ଗଳବାର ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପ୍ରଚାର ଆରମ୍ଭ କରିଥିଲେ । ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।ପୌର ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଆଦର୍ଶ ଆଚରଣବିଧ ଲାଗୁ ହୋଇଛି । ଏହି ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କ ଉପରେ ପଇସା ବାଣ୍ଟୁଥିବାର ଅଭିଯୋଗ ଆଣିଛନ୍ତି ।

Related Posts