ଏପ୍ରିଲ ୮ରୁ ୧୦ ତାରିଖରେ ହେବ ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୌର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଅର୍ଥାତ ମୋଟ ୧୦୫ଟି ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନର ରେଜଲ୍ଟ ସାମ୍ନାକୁ ଆସିଛି । ଯେଉଁଠି ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡି ଦଳ ବାଜି ମାରିଥିବାର ଦେଖିବାକୁ ମିଳିଛି । ସେପଟେ ଖୁବ ଶୀଘ୍ର ସମସ୍ତ ପୌର ସଂସ୍ଥାର ବୈଠକ ବସିବ। ଆଉ ପ୍ରଥମ ବୈଠକରେ ହିଁ ତିନି ମହାନଗର ନିଗମର ଡେପୁଟି ମେୟର ଏବଂ ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ନିର୍ବାଚନ ହେବ। ଏହା ମଧ୍ୟରେ ଡେପୁଟି ମେୟର ଓ ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୬ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ।

ଏପ୍ରିଲ ୮ରେ କଟକ ମହାନଗର ନିଗମ, ୯ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୧୦ରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ। ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ମାର୍ଚ୍ଚ ୩୧ତାରିଖରେ ପ୍ରଥମ କର୍ପୋରେସନ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ। ସମସ୍ତ ମହାନଗର ନିଗମ କାର୍ଯାଳୟରେ ଡେପୁଟି ମେୟର ନିର୍ବାଚନ ହେବ। ସେହିପରି ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୭ତାରିଖରେ ହେବ। ଏନେଇ ପୌରାଧ୍ୟକ୍ଷମାନେ ମାର୍ଚ୍ଚ ୩୦ତାରିଖରେ କାଉନସିଲ୍ର ପ୍ରଥମ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts