୨୦୨୪ରେ ବିଜେପିକୁ ସରକାରରୁ ବେଦଖଲ କରିବା ମୋର ଶେଷ ଲକ୍ଷ୍ୟ : ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ଲଗାତାର ଶାଣିତ ଆକ୍ରମଣ କରି ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ପୁଣି ଏକ ରାଲିକୁ ସମ୍ଵୋନ୍ଧିତ କରି ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ୨୦୨୪ରେ ବିଜେପିକୁ ସରକାରରୁ ବେଦଖଲ କରିବା ମୋର ଶେଷ ଲକ୍ଷ୍ୟ ବୋଲି ମମତା କହିଛନ୍ତି। ମମତା ଆହୁରି କହିଛନ୍ତି ଯେ, କେନ୍ଦ୍ରରେ ବିଜେପିକୁ ଶାସନରୁ ବେଦଖଲ କରିବା ପାଇଁ ଦିଲ୍ଲୀର ଲଢେଇ ମୋର ଶେଷ ଲଢେଇ ହେବ। ଏଥିପାଇଁ ମୁଁ ଦୃଢ ପ୍ରତିଜ୍ଞ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଯେମିତିବି ହେଉ ହରାଇବାକୁ ପଡ଼ିବ। ପଶ୍ଚିମବଙ୍ଗକୁ ବଞ୍ଚାଇବା ମୋର ପ୍ରଥମ ଲକ୍ଷ୍ୟ। ମୁଁ ପ୍ରତିଶୃତି ଦେଉଛି ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ବିତାଡ଼ିତ କରିବି। ଯଦି ସେମାନେ ଆମକୁ ଡରାଇବାକୁ ଚେଷ୍ଟା କରିବେ ତେବେ ଆମେ ଏହାର ଜବାବ ଦେବୁ।

ତେବେ ବିଜେପି କେବେ ନିର୍ବାଚନ ହାରିବ ନାହିଁ ବୋଲି ଦେଉଥିବା ଦୃଢୋକ୍ତିର ଜବାବ୍ ଦେଇ ମମତା କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ବାଚନ ହାରିବା ବିଷୟରେ କହି ଚିନ୍ତା କରିନଥିଲେ। ସମସ୍ତଙ୍କୁ ଦିନେ ହାର୍‌ର ସାମ୍ନା କରିବାକୁ ପଡ଼ିଥାଏ। ଇନ୍ଦିରା ଗାନ୍ଧୀ ଜଣେ ଦିଗଜ ନେତ୍ରୀ ଥିଲେ। ତଥାପି ସେ ପରାଜୟର ସ୍ଵାଦ ଚାଖିଥିଲେ। ବିଜେପିର ବର୍ତ୍ତମାନ ପ୍ରାୟ ୩୦୦ ସାଂସଦ ଅଛନ୍ତି। ଏହାକୁ ନେଇ ସେମାନେ ଗର୍ବ କରୁଛନ୍ତି। ଏବେ ତାଙ୍କ ହାତରୁ ବିହାର ଶାସନ ଡୋରି ଯାଇ ସାରିଛି। ଆଗକୁ ଆହୁରି କିଛି ଅନ୍ୟ ରାଜ୍ୟ ମଧ୍ୟ ତାଙ୍କ ହାତରୁ ଯିବ ବୋଲି କହି ମମତା ବିଜେପିକୁ ଟାର୍ଗେଟ କରିଛନ୍ତି।

Related Posts