ଦିଲ୍ଲୀରେ ରାଜନୈତିକ ହାଇଡ୍ରାମା ଜାରି; ବିଧାନସଭାକୁ ସାଂସଦ ଓ ରାଜନୈତିକ ଦଳର ନେତାଙ୍କ ପ୍ରବେଶରେ ଲାଗିଲା ରୋକ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ରାଜନୈତିକ ହାଇଡ୍ରାମା ଲାଗି ରହିଛି। ଏସବୁ ଭିତରେ ଦିଲ୍ଲୀ ବିଧାନସଭାରେ ସାଂସଦ ଏବଂ ରାଜନୈତିକ ଦଳର ନେତାଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ବିଧାନସଭାର ଉପ ବାଚସ୍ପତି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦେଶରେ କୁହାଯାଇଛି ଯେ ଶାସକ ଦଳ ଓ ବିରୋଧୀ ଦଳ ପକ୍ଷରୁ ବର୍ତ୍ତମାନ ବିଧାନସଭା ପରିସରରେ ପ୍ରଦର୍ଶନ କରାଯାଉଛି। ଏଭଳି ପରିସ୍ଥିତିରେ ସୁରକ୍ଷାକୁ କଡାକଡି କରିବାର ଆବଶ୍ୟକତା ରହିଛି।ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୌଣସି ବିଧାୟକ ନିଜ ସହ କେବଳ ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରବେଶ କରିପାରିବେ। ସାଂସଦ କିମ୍ବା କୌଣସି ରାଜନୈତିକ ଦଳର ନେତାଙ୍କୁ ବିଧାନସଭାକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସ୍ଥା ଭୋଟର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ସମୟରେ ଯେତେବେଳେ ବିରୋଧୀ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ, ସେମାନଙ୍କୁ ମାର୍ଶଲଙ୍କ ସହାୟତାରେ ଗୃହରୁ ବାହାର କରିଦିଆଯାଇଥିଲା। ତେବେ କଥା ଏତିକିରେ ସରିନଥିଲା। ଗୃହ ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରହିବାରୁ ଆମ ଆଦମୀ ପାର୍ଟିର ବିଧାୟକ ହଙ୍ଗାମା କରିଥିଲେ। ଆପ ବିଧାୟକମାନେ ଉପରାଜ୍ୟପାଳ ଭିକେ ସକ୍ସେନା ଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣି ତାଙ୍କର ଇସ୍ତଫା ଓ ତଦନ୍ତ ଦାବି କରିଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟିର ବିଧାୟକମାନେ ରାତିସାରା ବିଧାନସଭା ପରିସରରେ ଧାରଣା ଦେବାର ଘୋଷଣା କରିଥିଲେ। ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ରାତି ସାରା ବିକ୍ଷୋଭ ପ୍ରଦର୍ଶନ ଖବର ସାମ୍ନାକୁ ଆସିବା ପରେ ବିଜେପି ପକ୍ଷରୁ ମଧ୍ୟ ସମାନ ଘୋଷଣା କରାଯାଇଥିଲା। ବିଜେପି କହିଥିଲା, ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ବରଖାସ୍ତ କରା ନଗଲେ ଦଳର ବିଧାୟକମାନେ ମଧ୍ୟ ରାତିସାରା ବିଧାନସଭାରେ ଧାରଣାରେ ବସିବେ । ଏହାପରେ ଦୁଇ ଦଳଙ୍କ ମଧ୍ୟରେ ବିଧାନସଭା ପରିସରରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Related Posts