ରାହୁଲ ଆସିବା ପୂର୍ବରୁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌

ସତ ହେଲା ସତ୍ୟପାଠର ଖବର, କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବିଧାୟକ ନବ ଦାସ । ଦଳ ବଦଳର ନୂଆ ଫଣ୍ଡା । ରାଜନୈତିକ ମହତ୍ବାକାଂକ୍ଷା ପୂରଣ କରିବେ, କିନ୍ତୁ ଲୋକଙ୍କ ମୁଣ୍ଡରେ ବୋଳିଲେ ଅଠା ।

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧିଙ୍କ ପ୍ରଥମ ଥର ଓଡ଼ିଶା ଗସ୍ତ ପୂର୍ବରୁ ତାଙ୍କ ଦଳ ବିରୋଧରେ ନବୀନ ଖେଳିଛନ୍ତି ଏକ ମାଷ୍ଟରଷ୍ଟ୍ରୋକ୍‌ । କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ଝାରସୁଗୁଡ଼ା ବିଧାୟକ ନବ ଦାସ । ଏ ନେଇ ଗତ କିଛି ମାସ ହେଲା ବେଶ୍‌ ଚର୍ଚ୍ଚା ହେଉଥିବାବେଳେ ଏବେ ଏ ଖବର ଉପରେ ମୋହର ମାରିଛନ୍ତି ନିଜେ ନବ । ଆସନ୍ତା 24 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା କାର୍ଯ୍ୟକ୍ରମରେ ବିଧିବଦ୍ଧଭାବେ ଶଙ୍ଖ ଧରିବେ ବୋଲି କହିଛନ୍ତି ନବ ଦାସ ।

ତେବେ ନବ ଏବେ ବାହାର କରିଛନ୍ତି ଦଳ ବଦଳର ନୂଆ ଫଣ୍ଡା । ଦଳ ବଦଳ ନିଷ୍ପତ୍ତିକୁ ନବ ବଡ଼ ଚତୁରତାର ସହ ସମର୍ଥକ ଓ ତାଙ୍କ ନିର୍ବାଚନ ମଣ୍ଡଳୀର ଜନତାଙ୍କ ନାଁରେ ଗଡ଼ାଇ ଦେଇଛନ୍ତି । ଏହା ଠିକ୍‌ ସେମିତି କଥା ଅଇଁଠା ଖାଇବେ ଜାତି ମାରା ହେବନାହିଁ । ସେ ନିଜର ସୁରକ୍ଷିତ ରାଜନୈତିକ ଭବିଷ୍ୟତ ପାଇଁ କଂଗ୍ରେସ ଛାଡ଼ିବେ କିନ୍ତୁ ଲୋକଙ୍କ ନାଁରେ ଗଡ଼ାଇ ଦେଇଛନ୍ତି ନିଷ୍ପତ୍ତି । ନବ କହିଛନ୍ତି, ‘ମୁଁ କୌଣସି କାରଣ ପାଇଁ କଂଗ୍ରେସ ଛାଡ଼ି ଦଳ ଛାଡୁନାହିଁ ।’ ଲୋକେ କୁଆଡ଼େ ତାଙ୍କୁ ଅନୁରୋଧ କରୁଛନ୍ତି ଶଙ୍ଖ ଧରିବା ପାଇଁ । ନିଜ ରାଜନୈତିକ ଉଚ୍ଚାକାଂକ୍ଷା ପୂରଣ କରିବାକୁ ଯାଇ ପାପ ନ ଲାଗିବା ପାଇଁ ଲୋକଙ୍କ ମୁଣ୍ଡରେ ବୋଳିଛନ୍ତି ଅଠା ।

ନବ ଦାସଙ୍କୁ ନିଜ ଆଡ଼କୁ ଟାଣିବା ନବୀନ ଓ ବିଜେଡି ପାଇଁ ସେହିଭଳି ସଫଳତା ଯେଉଁଭଳି ଶତ୍ରୁ ଗଡ଼ରେ ପଶି ତାକୁ ଆକ୍ରମଣ କରିବା ଓ ମାରିବା । ଏକଥା ଏଥିପାଇଁ କାରଣ 2014ର ସାଧାରଣ ନିର୍ବାଚନ ଓ ଏବେ ରାଜ୍ୟରେ କଂଗ୍ରେସର ସ୍ଥିତି ଦେଖିଲେ ନବଦାସଙ୍କ ନିର୍ବାଚନ ମଣ୍ଡଳୀ ହେଉଛି ସେହି ହାତଗଣତି ସ୍ଥାନ ଯେଉଁଠି କଂଗ୍ରେସ ଦୃଢ଼ ସ୍ଥିତିରେ ଅଛି । ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଝାରସୁଗୁଡ଼ାରେ ବିଜେଡିକୁ ଭଲ ଭାବେ ମାତ୍‌ ଦେଇଥିଲା କଂଗ୍ରେସ ।

ସଂପୃକ୍ତ ଅଞ୍ଚଳରେ ବିଜେଡି ଖୁବ୍‌ ଦୁର୍ବଳ ଥିବାବେଳେ ଏବେ କାମ କରିଛି ନବୀନଙ୍କ ବାଜି । ଆସନ୍ତା 25 ତାରିଖରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଥିବାବେଳେ ତା’ର ଠିକ୍‌ ପୂର୍ବ ଦିନ କଂଗ୍ରେସର ଜଣେ ଦୃଢ଼ ନେତାଙ୍କୁ ନିଜ ଦଳକୁ ଟାଣି ନେଇ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛନ୍ତି ନବୀନ । ନବଙ୍କୁ ହାତେଇବା ନବୀନଙ୍କର ବଡ଼ ବିଜୟ ବୋଲି କୁହାଯାଇପାରେ… ।

ଗତ କିଛି ମାସ ଧରି ନବ ଦାସଙ୍କ କାର୍ଯ୍ୟଶୈଳୀ ଓ ବୟାନ ସବୁକିଛି ବିଜେଡି ଓ ନବୀନଙ୍କ ପ୍ରତି ତାଙ୍କ ଦୁର୍ବଳତାର ପ୍ରମାଣ ଦେଉଥିଲା । ଏ ନେଇ ସତ୍ୟପାଠରେ କରାଯାଇଥିଲା ଖୁଲାସା, କେମିତି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଆଳରେ ନବୀନ ନିବାସ ଯାଏଁ ଯାଇ ନବୀନଙ୍କ ସାନ୍ନିଧ୍ୟ ଚାହିଁଥିଲେ ନବ ଦାସ ।

ଏ ପୂରା ପ୍ରସଙ୍ଗରେ ନବୀନ ଏ ଯାଏଁ ପଦୁଟିଏ ବି ମୁହଁ ଖୋଲି ନ ଥିବାବେଳେ ନବଙ୍କ ଭଳି ଝାରସୁଗୁଡ଼ାର ଜଣେ ଟାଣୁଆ କଂଗ୍ରେସ୍‌ ନେତାଙ୍କୁ ବିଜେଡିକୁ ଟାଣି ନେଇ 2019 ପୂର୍ବରୁ ବିରୋଧୀଙ୍କୁ ଦେଇଛନ୍ତି ବଡ଼ ଚ୍ୟାଲେଞ୍ଜ ।

Related Posts