ସତ୍ୟ ଧରିଲେ ଧର୍ମେନ୍ଦ୍ରଙ୍କ ଚାଲାକି

ଦିଲ୍ଲୀରେ ମେଳି ,ଓଡିଶାରେ କଳି

ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ ଓ ଅଭାବୀ ଧାନ ବିକ୍ରୀକୁ ନେଇ ବିଜେଡି- ବିଜେପିର କଥା କଟାକଟିକୁ ନେଇ ଆସିଛି ରୋଚକ ତଥ୍ୟ । ପ୍ରଥମେ ବାବୁ ଧର୍ମେନ୍ଦ୍ର ପ୍ରଧାନ ଅଭାବୀ ବିକ୍ରୀକୁ ନେଇ ଟାର୍ଗେଟ କଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ  । ତା’ ପରେ ଆନ୍ନା ଜବାବ୍‌ରେ ରଖିଲେ ଫିଲ୍ମି ଡାଏଲଗ୍ । ପାତ୍ରେ କହିଲେ ଧର୍ମେନ୍ଦ୍ର ଯଦି ଗୋଟିଏ ଅଭିଯୋଗର ପ୍ରମାଣ କରିଦେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ । ହେଲେ ରବିବାର ଦିନ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଉଭୟଙ୍କ ତୁତୁ ମେଁମେଁର ଜବରଦସ୍ତ ଖୁଲାସା ପରେ ଏବେ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ସତ୍ୟ ସାମ୍ୱାଦିକ ସମ୍ମିଳନୀରେ ଗତ ଡିସେମ୍ବର ମାସ 18 ତାରିଖରେ ଲୋକସଭାରେ ବରଗଡ ସାଂସଦ ଡଃ ପ୍ରଭାସ ସିଂଙ୍କ ଏକ ପ୍ରଶ୍ନର ଉତ୍ତରକୁ ଦେଖାଇଛନ୍ତି । ପ୍ରଭାସଙ୍କ ପ୍ରଶ୍ନ ଥିଲା ଯେ,ଧାନର ଅଭାବୀ ବିକ୍ରୀ ଏବଂ ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଥିବା ନେଇ ଖବର ବା ଅଭିଯୋଗ କେନ୍ଦ୍ର ସରକାରଙ୍କ ନଜରକୁ ଆସିଛି କି ? ଏହାର ଉତ୍ତରରେ କେନ୍ଦ୍ର ଉପଭୋକ୍ତା, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ସି.ଆର୍. ଚୌଧୁରୀ ସଷ୍ଟ ଭାବେ ଅଭିଯୋଗକୁ ଖଣ୍ଡନ କରିବା ସହ ପରୋକ୍ଷରେ ଓଡିଶା ସରକାରଙ୍କୁ ଏକପ୍ରକାର କ୍ଲିନ୍‌ଚିଟ୍ ଦେଇଛନ୍ତି ।

 

ସଂସଦର ଏହି ତଥ୍ୟକୁ ଆଧାର କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଓ ସୂର୍ଯ୍ୟ ପାତ୍ରଙ୍କ ଡାଇଲଗ୍‌ କେବଳ ଲୋକ ଦେଖାଣିଆ ବୋଲି ସତ୍ୟ କହିଛନ୍ତି । ଧର୍ମେନ୍ଦ୍ର ଓଡିଶାର ମିଡିଆ ଆଗରେ ବିଜେଡି ବିରୁଦ୍ଧରେ କେବଳ ବାହାସ୍ପୋଟ ମାରୁଛନ୍ତି , ସେପଟେ ଦିଲ୍ଲୀରେ ଏନ୍‌ଡିଏର ତାଙ୍କ ସହଯୋଗୀ ମନ୍ତ୍ରୀ କ୍ଲିନ୍‌ଚିଟ୍ ଦେଉଛନ୍ତି ବୋଲି ସତ୍ୟ ଅଭିଯୋଗ କରିଛନ୍ତି । ସତ୍ୟଙ୍କ ଖୁଲାସା ପରେ ବିଜେପି ବା ଧର୍ମେନ୍ଦ୍ରଙ୍କ ଶିବିର ପୁରା ନିରବ ।

Related Posts