ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଛନ୍ଦି ହୋଇଚି କଂଗ୍ରେସ । ରାହୁଲ୍ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କ ପରେ ଏବେ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେରାଲ୍ଡ ହାଉସରେ ଇଡି ଅଧିକାରୀଙ୍କ ସାମ୍ନାରେ ନିଜେ ହାଜର ହୋଇଛନ୍ତି। କଂଗ୍ରେସ ମାଲିକାନାରେ ଥିବା ଖବରକାଗଜ ନ୍ୟାସନାଲ ହେରାଲ୍ଡର ସହ କମ୍ପାନୀ ୟଙ୍ଗ ଇଣ୍ଡିଆର ଅଫିସରେ ଇଡିର ଚଢାଉ ପୁଣି ଥରେ ଆରମ୍ଭ ହୋଇ ଯାଇଛି।

ରାଜ୍ୟସଭାରେ ବିରୋଧୀ ଦଳ ନେତା ୮୦ ବର୍ଷୀୟ ଖଡଗେ ମଧ୍ୟାହ୍ନ ପ୍ରାୟ ୧୨ଟା୪୦ରେ ଆଇଟିଓ ନିକଟସ୍ଥ ବାହାଦୂର ଶାହ ଜଫର ମାର୍ଗ ସ୍ଥିତ ହେରାଲ୍ଡ ଭବନ ପହଞ୍ଚି ଇଡି ଅଧିକାରୀଙ୍କୁ ଭେଟିଛନ୍ତି। କମ୍ପାନୀର ପ୍ରମୁଖ ଅଧିକାରୀ ହୋଇଥିବାରୁ ଇଡି ୟଙ୍ଗ ଇଣ୍ଡିଆର ଅଫିସରେ ଚଢାଉ ସମୟରେ ଖଡଗେଙ୍କ ଉପସ୍ଥିତି ଦାବି କରିଥିଲେ। ୟଙ୍ଗ ଇଣ୍ଡିଆନର ଅଂଶଧନକାରୀଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାମ ସାମିଲ୍। କଂଗ୍ରେସର ଅଧ୍ୟକ୍ଷାଙ୍କ ନିକଟରେ କମ୍ପାନୀର ୩୮ ପ୍ରତିଶତ ଅଂଶଧନ ରହିଛି।

ଏହା ପୂର୍ବରୁ ଇଡି ବୁଧବାର ଚାରି ମହଲା ହେରାଲ୍ଡ ହାଉସର ଏକ ଅଂଶକୁ ସିଲ୍ କରିଥିଲା। ଇଡି ସିଲ୍ କରିବା ପଛରେ ପ୍ରମାଣକୁ ସଂରକ୍ଷିତ ରଖାଯିବା କଥା କହିଥିଲା। ଇଡିର କହିବା କଥା ଗୋଟିଏ ଅଂଶରେ ତାଲା ଲାଗିବା କାରଣରୁ ଏହାର ତଲାସି ନିଆଯାଇ ପାରିନଥିଲା। ଏପରିକି ତଲାସି ସମୟରେ କୌଣସି ଅଧିକୃତ ପ୍ରତିନିଧି ମଧ୍ୟ ଉପସ୍ଥିତ ନଥିଲେ। ତେବେ ୟଙ୍ଗ ଇଣ୍ଡିଆ ଅଫିସର ତଲାସି ଏବେ ବନ୍ଦ ରଖାଯିବ ବୋଲି ଅଧିକାରୀ କହିଛନ୍ତି। ଯାହା କିଛି ସମ୍ଭାବିତ ପ୍ରମାଣ ରହିଛି, ଏହାକୁ ଏକତ୍ର କରାଯିବ।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଏବଂ ଓ୍ଵେବପୋର୍ଟାଲର କାର୍ଯ୍ୟାଳୟ ହେରାଲ୍ଡ ହାଉସ୍‌ ଭବନର ଚତୁର୍ଥ ମହଲାରେ ରହିଛି। ଏଠାରେ ସଂପାଦକୀୟ ବିଭାଗ ଏବଂ ପ୍ରଶାସନିକ ବିଭାଗର କର୍ମଚାରୀ କାମ କରନ୍ତି। ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡ୍(ଏଜେଏଲ) ଦ୍ଵାରା ପ୍ରକାଶିତ କରାଯାଏ ଏବଂ ଏହାର ହୋଲ୍ଡିଂ କମ୍ପାନୀ ୟଙ୍ଗ ଇଣ୍ଡିଆ। ଖବରକାଗଜର କାର୍ଯ୍ୟାଳୟ ଏଜେଏଲ ନାମରେ ପଞ୍ଜୀକରଣ କରାଯାଇଛି ।