ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ସଂସଦରେ ଉଠିଲା ରାଜ୍ୟର ପୂର୍ବତନ ସ୍ବାସ୍ଥ୍ଯମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ। ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ସୋମବାର ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାକୁ ଦୀର୍ଘ ୧୫ ଦିନ ବିତିବାକୁ ବସିଥିବା ବେଳେ ହତ୍ୟାର କାରଣ ସ୍ପଷ୍ଟ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ତେଣୁ ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)କୁ ହସ୍ତାନ୍ତର କରିବା ପାଇଁ ସୁରେଶ ପୂଜାରୀ ସଂସଦରେ ଦାବି କରିଛନ୍ତି ।

ଆଜି ଲୋକସଭାରେ ସାଂସଦ ସୁରେଶ ପୂଜାରୀ କହିଥିଲେ ଯେ,’ଗତ ଜାନୁଆରୀ ୨୯ରେ ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ଝାରସୁଗୁଡାରେ ଜଣେ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ୧୫ ଦିନ ବିତିଥିବା ବେଳେ ଏହାର କାରଣ ଖୋଜିବାରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି । ଓଡ଼ିଶା ସରକାର କେବଳ ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କେନ୍ଦ୍ରୀୟ ସହୟତା ନେଇଛନ୍ତି । ହେଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ବାରା ତଦନ୍ତ କରାଇବା ପାଇଁ ଭୟ କରୁଛନ୍ତି ।’

ତେବେ ଶନିବାର ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଶେଷ ହୋଇଛି । ଏଫଏସଏଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାନସିକ ଅସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କୁରଥିଲା । ଗତ କିଛି ମାସ ହେବ ସେ ଔଷଧ ସେବନ ନକରିବାରୁ ତାର ମାନସିକ ବିକୃତି ଆରମ୍ଭ ହୋଇଥିଲା । ଅସ୍ଥିରତା ବଢିବା କାରଣରୁ ସେଦିନ ସେ ସୁରକ୍ଷା ଦାୟିତ୍ବରେ ଥିବାବେଳେ ମନ୍ତ୍ରୀ ନବ ଦାସଙ୍କୁ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ନାର୍କୋ ଟେଷ୍ଟ ସମୟରେ ସ୍ବୀକାର କରିଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗୋପାଳର ନାର୍କୋ ଟେଷ୍ଟ ପରେ ତାକୁ ଓଡ଼ିଶା ଅଣାଯାଇଛି । ନାର୍କୋ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ହତ୍ୟାକାଣ୍ଡ ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରିନାହିଁ ।

ସୂଚନାଯୋଗ୍ୟ ଯେ, ତାରିଖରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି ଚଳାଇଥିବା ସ୍ଥାନୀୟ ପୋଲିସ କହିଥିଲା । ଗୋପାଳକୁ ତୁରନ୍ତ ଗିରଫ କରାଯାଇଥିଲା । ମନ୍ତ୍ରୀ ଦାସଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏୟାର ଲିଫ୍ଟ କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ଏକ ଷଡଯନ୍ତ୍ର ବୋଲି ବିରୋଧୀ କହୁଥିବା ବେଳେ ପୋଲିସ ଅଭିଯୁକ୍ତ ଗୋପାଳକୁ କ୍ରମାଗତ ଜେରା ପରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣରେ ପହଞ୍ଚି ନପାରିବା ସନ୍ଦେହକୁ ଆହୁରି ବଢାଇଛି । ଘଟଣାକୁ ଦୀର୍ଘ ୧୫ଦିନ ବିତିଛି । ଏକାଧିକ ପର୍ଯ୍ୟାୟର ରିମାଣ୍ଡ, ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ଶେଷ ହୋଇଥିଲେ ସୁଦ୍ଧା ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସ୍ପଷ୍ଟ ନକରିବା ସନ୍ଦେହକୁ ଘନୀଭୂତ କରୁଛି । ଏହାରି ମଧ୍ୟରେ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଛି । ପୂର୍ବରୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ହାଇକୋର୍ଟରେ ମଧ୍ୟ ଏକ ସଂଗଠନ ପକ୍ଷରୁ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା । ଯାହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ ।