ରାଜ୍ୟ କ୍ୟାବିନେଟ ବୈଠକ; ୧୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ସୋମବାର ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଚିଠା ପ୍ରସ୍ତାବରେ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଜନସଂଖ୍ୟା ବଢ଼ିଛି। ଏଠାରେ ପାନୀୟ ଜଳର ଚାହିଦା ମଧ୍ୟ ବଢ଼ିଛି। ତେଣୁ ଭୁବନେଶ୍ବରରେ ଜଳଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ। ୧୩୦ ଏମ୍‌ଏଲ୍‌ଡି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ କ୍ୟାବିନେଟ୍ ଅନୁମେଦାନ କରିଛନ୍ତି। ୨୦୨୩କୁ ଲକ୍ଷ୍ୟ ରଖି ଏହା ନିର୍ମାଣ କରାଯାଇଛି। ଏଥି ପାଇଁ ୨୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍‌ର ୫୫ତମ ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ବର୍ତ୍ତମାନ ରାଜ୍ୟର ହାଇସ୍କୁଲ ଗୁଡ଼ିକରେ ୪୦,୧୬୬ ଶିକ୍ଷକ ଅଛନ୍ତି। ପ୍ରଥମ ଥର ୧୫ ପ୍ରତିଶତ ଏଲଟିଆର ଖାଲିଥିବା ପଦବୀ ଉପରେ ଚର୍ଚ୍ଚା ହୋଇଥିଲା। ୬୦୨୫ ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତିକୁ ମଂଜୁରୀ ମିଳିଛି। ଏହା ଦ୍ବାରା ବିଭିନ୍ନ ହାଇସ୍କୁଲରେ ଖାଲି ଥିବା ପଦବି ପୂରଣ ହୋଇପାରିବ। ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ପାଇଁ ୨୩୭ଟି ହଷ୍ଟେଲ ନିର୍ମାଣ ହେବ। ବର୍ତ୍ତମାନ ବାଳିକାମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ଚାଲିଛି। ବାଳକମାନଙ୍କ ପାଇଁ ମଧ୍ୟ ହଷ୍ଟେଲ ନିର୍ମାଣ ହେବ। ଏଥି ପାଇଁ ୧୦୦୦ କୋଟି ଟଙ୍କା ମଂଜୁରୀ କରାଯାଇଛି। ଏହା ବ୍ୟତୀତ ଏସ୍‌ଭିକେଏମ୍‌ ବିଶ୍ୱବିଦ୍ୟାଳୟ ପାଇଁ ଜଟଣୀରେ ସରକାର ଜମି ଯୋଗାଇବେ।

ସେହିପରି କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ବିମାନ ଇନ୍ଧନରେ ଭା‌ଟ୍‌କୁ ୧%କୁ ହ୍ରାସ କରିଛନ୍ତି। ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଅନୁମୋଦିତ ହୋଇଛି। ଏମଏସଏମଇ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ହେବ। ଏମ୍‌ଏସ୍‌ଏମ୍‌ଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ ହେବ। ସେହିଭଳି ତୃତୀୟ ଲିଙ୍ଗୀ ସନ୍ତାନକୁ ମିଳିବ ପରିବାର ପେନ୍‌ସନ୍‌। ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଜେଲରେ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Related Posts