
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ଲାଗି ରହିଥିବା ବିବାଦ ଥମିବାରେ ନାଁ ନେଉନି । ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିସା ପଢ଼ିବାର ଘୋଷଣା କରିବା ପରେ ମହାରାଷ୍ଟ୍ରର ଅମରାବତୀର ବିଜେପି ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ପୁଲିସ ଗିରଫ କରିଥିଲା । ଏହା ପରେ ସାରା ଦେଶର ରାଜନୀତି ସରଗରମ ହୋଇ ଉଠିଥିଲା । ଏହା ମଧ୍ୟରେ ସାଂସଦ ନବନୀତ ରାଣା ତାଙ୍କ ସ୍ୱାମୀଙ୍କ ସହ ଦିଲ୍ଲୀ ପହଞ୍ଚି କନୌଟ ପ୍ୟାଲେସ ସ୍ଥିତି ହନୁମାନ ମନ୍ଦିରରେ ହନୁମାନ ଚାଳିସା ପଢ଼ିଥିବାର କଥା ସାମ୍ନାକୁ ଆସିଛି । ଏହା ପରେ ସେମାନେ ଆରତୀ କରିଥିଲେ । ସେପଟେ ଗଣମାଧ୍ୟମ ସମ୍ମୁଖରେ ନବନୀତ ରାଣା କହିଛନ୍ତି ଯେ ରାଣା ଦମ୍ପତ୍ତି କାହାରି ରିମୋଟ କଣ୍ଟ୍ରୋଲରେ ପରିଚାଳିତ ହୁଅନ୍ତି ନାହିଁ ।
ବିଜେପିର ବି ନୁହେଁ ବୋଲି ନବନୀତ ରାଣା କହିଛନ୍ତି । ଅନ୍ୟପଟେ ରାଣା ଦମ୍ପତି ଗତ ମାସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ ମାତୋଶ୍ରୀ’ ବାହାରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ । ଯାହା ଅନେକ ବିବାଦ ସୃଷ୍ଟି କରିଥିଲା। ଶିବ ସୈନିକଙ୍କ ପ୍ରଦର୍ଶନ ପରେ ମୁମ୍ବାଇ ପୋଲିସ ୨୩ ଏପ୍ରିଲରେ ସ୍ୱାମୀ-ସ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ତଥା ଅନ୍ୟ ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରି ସେମାନଙ୍କୁ ଗିରଫ କରିଥିଲା। ପ୍ରକାଶ ଥାଉକି, ପରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ଏବଂ ବିଧାୟକ ରବି ରାଣାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।