ମୁମ୍ବାଇ: କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ସେନେଇ ଚର୍ଚ୍ଚା ଚାଲିଥିବା ବେଳେ, ତା’କୁ ନେଇ ବଡ଼ ଦାବି କରିଛନ୍ତି ଶରଦ ପାୱାରଙ୍କ ଏନସିପିର ଧନଞ୍ଜୟ ମୁଣ୍ଡେ।

ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏନସିପି ଦଳରୁ ହିଁ ହେବେ ବୋଲି ସେ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ପରବାହାନିରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ମହାବିକାଶ ଅଘାଡ଼ି ସରକାରରେ ସାମାଜିକ ନ୍ୟାୟ ବିଭାଗ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୁଣ୍ଡେ କହିଛନ୍ତି। ଏଥିସହ ଏହାକୁ ଲୋକପ୍ରିୟ କରିବା ପଛରେ ତାଙ୍କର ହିଁ ଅବଦାନ ଥିବା ସେ ଦାବି କରିଛନ୍ତି।

ଶ୍ରୀ ମୁଣ୍ଡେ କହିଛନ୍ତି, “ଯଦି ଆସନ୍ତାକାଲି ସାମାଜିକ ନ୍ୟାୟ ବିଭାଗର ଦାୟିତ୍ୱ କାହାକୁ ହସ୍ତାନ୍ତର କରାଯିବ କିମ୍ବା କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିତି ଉପୁଜିବ, ତା’ହେଲେ ମୁଖ୍ୟମନ୍ତ୍ରୀ ଆମରି ଦଳ(ଏନିସିପି)ରୁ ହିଁ ଜଣେ ନେତା ହେବେ। ନୂଆ ମୁଖ୍ୟମନ୍ତ୍ରୀ ସାମାଜିକ ନ୍ୟାୟ ବିଭାଗ ଏନସିପି ପାଖରେ ରହୁ ବୋଲି ମଧ୍ୟ କହିବେ। ଏହି ବିଭାଗ ଅନେକ ଖ୍ୟାତି ଅର୍ଜନ କରିଛି।”

ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାବିକାଶ ଅଘାଡ଼ି ସରକାରକୁ ଗତ ମାସରେ ହିଁ ଅଢ଼େଇ ବର୍ଷ ପୂରିଛି। ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଛନ୍ତି। କିନ୍ତୁ ଧନଞ୍ଜୟ ମୁଣ୍ଡେଙ୍କ ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି।

ସେ ଆହୁରି କହିଛନ୍ତି, “ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ମୋତେ ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲେ। ଯେତେ ସ୍ଥିର ଓ ମଜବୁତ ସରକାର ଥିଲେ ମଧ୍ୟ ମୁଁ ଏହାକୁ ଦୋହଲାଇ ଦେଇଥିଲି।”

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ମେଣ୍ଟ ସରକାରରେ ଏନସିପି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛି। ଏପରି କି ଏନସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହେବା ସହ ଅର୍ଥ ବିଭାଗର ଦାୟିତ୍ୱ ପାଇଛନ୍ତି ।