ଏନସିଆରବି ରିପୋର୍ଟ; ରାଜ୍ୟରେ ଦୈନିକ ୧୫ରୁ ଅଧିକ ଆତ୍ମହତ୍ୟା, ମହିଳାଙ୍କ ଠାରୁ ପୁରୁଷ ଆତ୍ମହତ୍ୟା ସଂଖ୍ୟା ଢେର ଅଧିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଦୈନିକ ୧୫ରୁ ଅଧିକ ଲୋକେ ଆତ୍ମହତ୍ୟା କରୁଥିବା ଏନସିଆରବିର ରିପୋର୍ଟରେ ଜଣାପଡ଼ିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ୫ହଜାର ୬୫୧ ଜଣ ଆତ୍ମହତ୍ୟା କରିଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ୪୪୧୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ତେବେ ରିପୋର୍ଟ ଅନୁସାରେ, ପାରିବାରିକ ସମସ୍ୟା ଓ ପ୍ରେମ ବ୍ୟାପାର ହେଉଛି ଆତ୍ମହତ୍ୟା ପଛର ମୁଖ୍ୟ କାରଣ । ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ଅଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ । ସେହିପରି ୨୦୨୧ରେ ୫ହଜାର ୧୭୫ ଅପହରଣ, ୨୯୩ ଯୌତୁକ ମୃତ୍ୟୁ, ୪୬୫ ଯୌତୁକ ନିର୍ଯାତନା, ୯୪୩୧ ନିର୍ଯାତନା, ୧୫୨୦ ଯୌନ ନିର୍ଯାତନା ଆଦି ମାମଲା ରୁଜୁ ହୋଇଛି ।

ସେହିଭଳି ପ୍ରାକୃତିକ ବିଭୀଷିକା ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶାରେ ଗତ ବର୍ଷ ୧୯ ହଜାର ୬୬୫ ଲୋକଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ବଜ୍ରପାତ ଜନିତ ମୃତ୍ୟୁରେ ମଧ୍ୟପ୍ରଦେଶ ପରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା ରହିଛି । ମଧ୍ୟପ୍ରଦେଶରେ ୪୯୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଥିଲା ୨୮୭ । ବଜ୍ରପାତ ଭଳି ସାପ କାମୁଡ଼ା ମୃତ୍ୟୁରେ ମଧ୍ୟ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ସାପ କାମୁଡ଼ାରେ ଗତବର୍ଷ ୧୦୧୯ ଜଣଙ୍କ ମୃତ୍ୟୁ ହୋଇଛି । ପାଣିରେ ବୁଡ଼ିଯାଇ ୧୫୫୧ ଜଣ ଓ ଡଙ୍ଗାବୁଡ଼ି କାରଣରୁ ୭୯ ଜଣଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍‌ ଆଘାତରେ ୯୭ ଜଣ, ଯାନବାହାନରୁ ଖସିପଡ଼ି ୧୪୩୪ ଜଣ ଓ ଉଚ୍ଚ ସ୍ଥାନରୁ ଖସିପଡ଼ି ୩୧୯ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ବଢ଼ିବା ସହିତ ତତ୍‌ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି । ଗତବର୍ଷ ରାଜ୍ୟରେ ୧୦୯୮୩ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୦ ତୁଳନାରେ ଏହା ୧୧.୯ ପ୍ରତିଶତ ଅଧିକ । ସେହିଭଳି ୨୦୨୧ରେ ରେଳ ଦୁର୍ଘଟଣାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ୬୬୧ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ଜୀବନ ଯାଇଛି । ପଶୁ ଆକ୍ରମଣରୁ ୧୨୮ ଓ ବିଷ ପିଇ ୧୦୮୪ ଜଣ ପ୍ରାଣ ହରାଇଛନ୍ତି । ଆକସ୍ମିକ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ୨୦୨୧ରେ ଓଡ଼ିଶାରେ ୧୨୪୮ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୨୪୮ ଜଣଙ୍କ ମୃତ୍ୟୁ ହୋଇଛି ।

Related Posts