ଲୋକଙ୍କ ଚାହିଦା ଅନୁଯାୟୀ ରାଜ୍ୟରେ ଅଧିକ ଓଏସଆରଟିସି ବସ୍ ଚଳାଚଳ ଉପରେ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋମବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଅଧିକ ସଂଖ୍ୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ( ଓଏସଆରଟିସି ) ବସ୍ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଏହି ବୈଠକରେ ଆଲୋଚନା ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଏଥି ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ନିମନ୍ତେ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ଅଧିକ ସଂଖ୍ୟକ ଓଏସଆରଟିସି ବସ୍ ଚଳାଚଳ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ଏହି ବୈଠକରେ ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

ଏହି କ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ବ୍ୟତୀତ ରାଜ୍ୟର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଥିଲା।ଏହା ଦ୍ୱାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ସାହୁ ପ୍ରକାଶ କରିଛନ୍ତିା ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ଓଏସ୍ଆରସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

Related Posts