ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ NEET-UG ପରୀକ୍ଷା ବାତିଲ ହେବା ପରେ ଗତକାଲି ପୁଣିଥରେ ପରୀକ୍ଷା ତାରିଖ ସାମ୍ନାକୁ ଆସିଛି । ଏହା ମଧ୍ୟରେ ୨୦୨୬ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବାତିଲ୍ ଘଟଣା ଏବେ ଏକ କରୁଣ ରୂପ ନେଇଛି। ପରୀକ୍ଷା ବାତିଲ୍ ଯୋଗୁଁ ଭବିଷ୍ୟତକୁ ନେଇ ଗଭୀର ମାନସିକ ଚାପ ଏବଂ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇ ଜଣେ ୨୧ ବର୍ଷୀୟା ମେଧାବୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଦର୍ଶ ନଗର ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତ ଛାତ୍ରୀଜଣକ ଆଜାଦପୁର ଲାଲ୍ ବାଗ୍ ଅଞ୍ଚଳର ଅଂଶିକା ପାଣ୍ଡେ (୨୦) ବୋଲି ଚିହ୍ନଟ ହୋଇଛନ୍ତି। ସେ ନିଜ ବାସଭବନରେ ଓଢ଼ଣୀ ସାହାଯ୍ୟରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି, ପରିବାର ଲୋକେ ଆଇନଗତ ପ୍ରକ୍ରିୟା ବିଷୟରେ ନଜାଣି ପୋଲିସକୁ କୌଣସି ସୂଚନା ନଦେଇ ଗୁରୁବାର ସନ୍ଧ୍ୟାରେ ଶବଦାହ ପାଇଁ ଶ୍ମଶାନକୁ ନେଇଯାଇଥିଲେ। ଶ୍ମଶାନର ପୂଜକଙ୍କ ସନ୍ଦେହ ହେବାରୁ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ BJRM ହସ୍ପିଟାଲ ମର୍ଗକୁ ପଠାଇଛି।ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଂଶିକା ଗତ କିଛି ବର୍ଷ ହେବ ଦିନରାତି ଏକ କରି NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ଚଳିତ ବର୍ଷ ପରୀକ୍ଷା ଦେବା ପରେ ସେ ବହୁତ ଭଲ ର୍ୟାଙ୍କ୍ ପାଇବେ ଏବଂ ଡାକ୍ତର ହେବେ ବୋଲି ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ। କିନ୍ତୁ ହଠାତ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଗତ ମେ’ ୧୨ରେ ପରୀକ୍ଷା ବାତିଲ୍ ହେବା ଖବର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା। ପୁଣି ଥରେ ପରୀକ୍ଷା ଦେବା ଏବଂ ଭବିଷ୍ୟତର ଅନିଶ୍ଚିତତାକୁ ନେଇ ସେ ପ୍ରବଳ ମାନସିକ ଚାପରେ ଥିଲେ ବୋଲି ତାଙ୍କ ମାମୁଁ ପ୍ରକାଶ କରିଛନ୍ତି।