ଶ୍ରୀଲଙ୍କା ପରେ ନେପାଳ ପାଳି: ବିଦେଶୀ ମୁଦ୍ରା ସଂକଟକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ନିଲମ୍ବିତ କଲେ ଦେଉବା ସରକାର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଥିସହ ଭାରତର ପଡୋଶୀ ଦେଶଙ୍କ ଅବସ୍ଥାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ଭାରତ । ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ପରେ ଏବେ ନେପାଳ ର ପାଳି ପଡିଛି । ଶ୍ରୀଲଙ୍କା ବିଦେଶୀ ମୁଦ୍ରା ସଂକଟ ଯୋଗୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ କରିପାରୁନଥିବା ବେଳେ ନେପାଳ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ସେହିପରି ପାକିସ୍ତାନରେ ଏବେ ରାଜନୈତିକ ସଂକଟ ସମ୍ବିଧାନିକ ସଂକଟର କାରଣ ପାଲଟିଛି । ଏଥିରେ ବୈଦେଶିକ ମୁଦ୍ରା ସଂକଟ ଯୋଗୁ ନେପାଳର ଦେଉବା ସରକାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।

ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ବାହାର କରି ନପାରିବା ଓ ଅସହମତି ଲାଗି ନେପାଳ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ମହାପ୍ରସାଦ ଅଧିକାରୀଙ୍କୁ ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମା ଚାକିରୀରୁ ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ନିଲମ ଧୁଙ୍ଗାନା ତିମିଲସିନାଙ୍କୁ ଅସ୍ଥାୟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି। ସ୍ଥାନୀୟ ସମ୍ବାଦପତ୍ର ଅନୁସାରେ ନେପାଳ କେନ୍ଦ୍ରୀୟ ବ୍ୟାଙ୍କ (ଏନଆରବି)ଙ୍କ ଗଭର୍ଣ୍ଣରଙ୍କୁ ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପୂର୍ବତନ ନ୍ୟାୟାଧୀଶ ପୁରୁଷୋତ୍ତମ ଭଣ୍ଡାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରିବା ପରେ ନିଲମ୍ବିତ କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସରକାରରେ ମହାପ୍ରସାଦ ଅଧିକାରୀଙ୍କୁ ଏନଆରବି ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା। ଦେଶର ୧୭ତମ ଏନଆରବି ଗଭର୍ଣ୍ଣର ଭାବେ ଅଧିକାରୀ ନିଯୁକ୍ତ ହୋଇଥିଲେ। ଗତ ସପ୍ତାହରେ ଏନଆରବି ପେଟ୍ରୋଲିୟମର ଅଭାବ ଓ ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସର ବାହାନା କରି ବାହନ ଓ ଅନ୍ୟ ବିଳାଶମୟ ବସ୍ତୁର ଆମଦାନୀ ଉପରେ କଟକଣା ଲଗାଇବେ ବୋଲି ଘୋଷଣା କରିଥିଲେ। ୨୦୨୧ରେ ଆମଦାନୀ ବୃଦ୍ଧି ପାଇବା ଓ ପର୍ଯ୍ୟଟନ ଓ ରପ୍ତାନୀ ହ୍ରାସ ବିଦେଶୀ ମୁଦ୍ରାଭଣ୍ଡାରକୁ ପ୍ରଭାବିତ କରିଥିଲା। ଜୁଲାଇ ୨୦୨୧ରେ ନେପାଳ ବିଦେଶୀ ମୁଦ୍ରା ଭଣ୍ଡାରେ ୧୧.୭୫ ବିଲିୟନ ଆମେରିକୀୟ ଡଲାର ମହଜୁଦ ଥିବା ବେଳେ ଫେବୃଆରୀ ୨୦୨୨ରେ ୯.୭୫ ବିଲିୟନ ଡଲାରକୁ ଖସି ଆସିଛି । ତେବେ ଆଗକୁ ଶ୍ରୀଲଙ୍କା ପରି ନେପାଳ ର ସ୍ଥିତି ହେବା ନେଇ ଆଶଂକା ପ୍ରକାଶ ପାଇଛି ।

Related Posts