(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ମନ୍ତ୍ରୀ , ସାଂସଦ ତଥା ବିଧାୟକମାନଙ୍କ ବିରୋଧରେ ତଦନ୍ତ କରିବାକୁ ହେଲେ ସରକାରଙ୍କଠାରୁ ଆଗୁଆ ଅନୁମତି ନେବ ପୋଲିସ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ତେବେ ସାମନ ନିୟମ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସମେତ ରାଷ୍ଟ୍ରାୟତ୍ତ ସଂସ୍ଥା ଓ ବ୍ୟାଙ୍କ ପରିଚାଳନା ନିର୍ଦେଶକଙ୍କ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ। ତେବେ ସିବିଆଇକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ମନ୍ତ୍ରଣାଳୟ କହିଛି ପୁଲିସ ଏହି ନିୟମ ମାନିବାକୁ ବାଧ୍ୟ। ଏହି ନୂତନ ନିୟମ ଆଣିବାକୁ ଯାଇ କେନ୍ଦ୍ର ସରକାର ଦୁର୍ନୀତି ନିର୍ବାରଣ ସମ୍ପର୍କିତ ୩୦ବର୍ଷର ପୁରୁଣା ଆଇନରେ ସଂଶୋଧନ କରିଛନ୍ତି। ଏ ସଂକ୍ରାନ୍ତ ପତ୍ର ସମସ୍ତ ବିଭାଗୀୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। ଏସ୍ଓପି ଠିକ୍ କାର୍ଯ୍ୟକାଳୀ ହେଉଛି କି ନାହିଁ ତାହା ମନ୍ତ୍ରୀ ଓ କେନ୍ଦ୍ର ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ଜଣାଇବେ।
ମନ୍ତ୍ରୀ, ବିଚାରପତି ଓ ଅଧିକାରୀଙ୍କ ବିରୋଧରେ ବିଭିନ୍ନ ପର୍ଯ୍ୟାୟରେ ଆସୁଥିବା ଅଭିଯୋଗର ତଦନ୍ତ କରିବା ପାଇଁ ପ୍ରଥମେ ଏ ସମ୍ପର୍କିତ ତଥ୍ୟ ପ୍ରସ୍ତୁତ ପରେ ନିଜର ପାହ୍ୟା ଅନୁସାରେ ତଦନ୍ତ ଲାଗି ଅଧିକୃତ ପୁଲିସ ଅଧିକାରୀ ଅନୁମତି ପାଇଁ ଆବେଦନ କରିବେ ବୋଲି ଏଥିରେ ଦର୍ଶାଯାଇଛି । ପୁଲିସ ଅଧିକାରୀ ମାମଲାର ତଦନ୍ତ କରିବା ପାଇଁ ଆବେଦନ ସହିତ ଅଭିଯୋଗ ପତ୍ର ଓ ଏହାର ଅନୁବାଦିତ ନକଲ ପଠାଇବେ। ଏହା ପୂର୍ବରୁ ସେମାନେ ଅଭିଯୋଗ ଉପରେ ଓ ସମ୍ପୃକ୍ତ ଅଧିକାରୀଙ୍କ ସମ୍ପର୍କରେ ଉପଯୁକ୍ତ ଯାଞ୍ଚ କରିବେ। କେଉଁ ପାହ୍ୟାର ପୁଲିସ ଅଧିକାରୀ କାହା ଉପରେ ତଦନ୍ତ କରିପାରିବେ ତାହା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ତାଲିକା ପ୍ରଦାନ କରାଯାଇଛି।