ଛାଡ଼ପତ୍ରକୁ ନେଇ ଜିଲ୍ଲାପାଳ ଅଫିସ୍‌ରେ ହାଇଡ୍ରାମା : ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଠେଲାପେଲା, ପାଟିତୁଣ୍ଡ ଓ ମାଡ଼ ମରାମରି !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଛାଡ଼ପତ୍ରକୁ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ହାଇଡ୍ରାମା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମାରପିଟ୍ ଜୋରଦାର। ବିଧାଗୋଇଠା ସାଙ୍ଗକୁ ଚାପୁଡ଼ା ବର୍ଷା। ସୋମବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ। ବିବାହକୁ ତିନି ବର୍ଷ ପୁରି ନଥିବା ବେଳେ ଦାମ୍ପତ୍ୟ ଜୀବନରେ ଦେଖାଦେଇଥିଲା ଫାଟ। ମତାନ୍ତରରୁ ମନାନ୍ତର ଆଉ ତା ପରେ କଥା ଯାଇ ଡିଭର୍ସରେ ପହଞ୍ଚି ଥିଲା। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଉଗ୍ରରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଵାହାରେ ଦେଖିବାକୁ ମିଳିଛି। ଶହ ଶହ ଲୋକଙ୍କ ଉପସ୍ଥିତିରେ ସ୍ବାମୀ-ସ୍ତ୍ରୀ ଝଗଡ଼ା ଲାଗିବା ପରେ ଗୋଡ଼ାଗୋଡ଼ି ହୋଇ ପିଟାମରା ହୋଇଥିଲେ।

ବାଲେଶ୍ବର ଟାଉନ୍ ଥାନା ହେମ୍‌କାପଦା ଗାଁର ସିଦ୍ଧାର୍ଥ ନାୟକ ଜଣେ ସରକାରୀ କର୍ମଚାରୀ। ଭୁବନେଶ୍ୱରରେ ସିଭିଲ୍‌ ସପ୍ଲାଏ ଡିପାର୍ଟମେଣ୍ଟରେ ଚାକିରି କରନ୍ତି। ସେ ୨୦୧୮ ମସିହା ଜୁଲାଇ ୭ ତାରିଖରେ ବାହାନଗା ବ୍ଲକ ଗଣ୍ଡସ୍ତପୁର ଅଞ୍ଚଳର ସୁବାସିନୀ ନାୟକଙ୍କୁ ବିବାହ କରିଥିଲେ। ଶୁଭାସିନୀଙ୍କ କହିବା ଅନୁସାରେ ବୈଦିକ ରୀତିନୀତିରେ ଉଭୟଙ୍କର ବାହାଘର ହୋଇଥିଲା। ବାହାଘର ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ କିଛି ଗୋଟେ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଝଗଡ଼ା ହୋଇଥିଲା। 

ଝଗଡ଼ା ଏମିତି ହୋଇଥିଲା ଯେ ମାମଲା ଯାଇ ଥାନାରେ ପହଞ୍ଚି ଥିଲା। ସୁବାସିନୀ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଆପୋସ ସମାଧାନ ମଧ୍ୟ ହୋଇଥିଲା। ତେବେ ସିଦ୍ଧାର୍ଥ କିନ୍ତୁ ପତ୍ନୀ ସୁବାସିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ମନସ୍ଥ କରିଥିଲେ। ଡିଭର୍ସ ପାଇଁ ସିଦ୍ଧାର୍ଥ ପରିବାର ଅଦାଲତରେ ଆବେଦନ କରିଥିଲେ। ସୋମବାର କୋର୍ଟ ତାରିଖ ଥିବାରୁ ଉଭୟ ସେଠାରେ ପହଞ୍ଚିଥିଲେ। ସୁବାସିନୀ ଛାଡ଼ପତ୍ର ନେବାକୁ ରାଜି ନଥିବା ବେଳେ ସିଦ୍ଧାର୍ଥ ଛାଡ଼ପତ୍ର ଦେବାକୁ ଚାହିଁଥିଲେ। ଫଳରେ ଅଦାଲତ ଆଉ ଏକ ତାରିଖ ଧାର୍ଯ୍ୟ କରିଥିଲେ।

ତେବେ ଅଦାଲତରୁ ବାହାରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପତ୍ନୀ ସୁବାସିନୀଙ୍କୁ ଏଡ଼ାଇ ସିଦ୍ଧାର୍ଥ ଓ ତାଙ୍କ ଭଉଣୀ ସେଠାରୁ ଚାଲିଯିବା ପାଇଁ ଉଦ୍ୟମ କରିବା ବେଳେ ସୁବାସିନୀ ଓ ତାଙ୍କ ଭାଇ ସେମାନଙ୍କ ଅଟ୍ଆଇ ଥିଲେ। ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିଲା ଠେଲାପେଲା, ପାଟିତୁଣ୍ଡ ଓ ମାଡ଼ ମରାମରି। ଏମିତିକି ରାସ୍ତାରେ ଗୋଡ଼ାଗୋଡ଼ି ହୋଇ ସ୍ବାମୀ-ସ୍ତ୍ରୀ ଜିଲ୍ଲାପାଳଙ୍କ ଅଫିସ୍ ବାରଣ୍ଡାରେ ବାଡ଼ିଆପିଟା ଲାଗିଥିଲେ। ଉଭୟଙ୍କୁ ଗଣ୍ଡଗୋଳରୁ ନିବୃତ୍ତ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଉଦ୍ୟମ କରିଥିଲେ ମଧ୍ୟ ଅଟକାଇ ପାରିନଥିଲା। ସୂଚନାଯୋଗ୍ୟ ଯେ ସିଦ୍ଧାର୍ଥ ଓ ସୁବାସିନୀଙ୍କର ଏକ ଦୁଇବର୍ଷର ପୁତ୍ର ସନ୍ତାନ ରହିଛି।

Related Posts