ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ବେଳେ ୨୦୨୨-୨୩ ପାଇଁ ନୂଆ ଯୋଜନା ଘୋଷଣା ହେବ ବୋଲି ଧାନସଭାରେ ବ୍ୟୟମଞ୍ଜୁରି ବିଲ୍ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏହା ସହ ବଜେଟ୍ରେ ମହାମାରୀ ବିରୋଧରେ ମୁକାବିଲା ସହ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା, ଜୀବନ ଓ ଜୀବିକାର ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥାର ରୂପାନ୍ତୀକରଣ, ପାନୀୟ ଜଳ ଓ ସହରୀ ସୁବିଧାର ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ଶିଳ୍ପ ଓ ଉଦ୍ୟୋଗ ଏବଂ ପୁଞ୍ଜିନିବେଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ୧ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବ୍ୟତୀତ ପ୍ରଶାସନିକ ବ୍ୟୟ ନିମନ୍ତେ ୮୯ ହଜାର ୬୨୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ପାଇଁ ୩ ହଜାର ୨୧୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭ ହଜାର ୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟର ମୋଟ ରାଜସ୍ବରେ ନିଜସ୍ବ ରାଜସ୍ବର ଭାଗ ପ୍ରାୟ ୫୮ ପ୍ରତିଶତ ହୋଇପାରିଛି ଯାହା ଦ୍ବାରା କେନ୍ଦ୍ରୀୟ ସହାୟତା ଉପରେ ଆମର ଆତ୍ମନିର୍ଭରଶୀଳତା କମିଛି।
ଏହା ଆମ ରାଜ୍ୟ ପାଇଁ ଏକ ଗୌରବର ବିଷୟ। ବର୍ଷ ଶେଷରେ ରାଜସ୍ବ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦନର ୨.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟ, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। ୪୦ ହଜାର ୧୧ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୬ ପ୍ରତିଶତ ଅଟେ। ଶ୍ରୀ ପୂଜାରୀ ଆହୁରି କହିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ରାଜସ୍ବ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ରାଜସ୍ବ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ରାଜସ୍ବ ବଳକା ୧୯ ହଜାର ୬୧୮ କୋଟି ଟଙ୍କା ରହିବ, ଯାହା କି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୨.୭ ପ୍ରତିଶତ। ସେହିପରି ବିତ୍ତୀୟ ନିଅଣ୍ଟ ୨୧ ହଜାର ୫୮୮ କୋଟି ଟଙ୍କା ଆକଳନ କରାଯାଇଛି, ଯାହା କି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ। ଏହା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ ଅନ୍ତର୍ଗତ ବିତ୍ତୀୟ ନିଅଣ୍ଟ ପାଇଁ ଧାର୍ୟ୍ୟ ସୀମା ମଧ୍ୟରେ ରହିଛି ବୋଲି ନିରଞ୍ଜନ ପୂଜାରୀ କହିଛନ୍ତି ।