ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି। ଖଣି ଅଞ୍ଚଳ ପ୍ରଭାବ ଆଧାରରେ ମିଳିବ ଅର୍ଥ, କେବଳ ଖଣି ଅବସ୍ଥିତି ଆଧାରରେ ନୁହେଁ। ଖଣିଜ ସମ୍ପଦରୁ ଆଦାୟ ହେଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ନ୍ୟାୟସଙ୍ଗତ ବଣ୍ଟନ ପାଇଁ ରାଜ୍ୟ ସରକାର ଏକ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି। ଯଦି କୌଣସି ଖଣିର ପ୍ରଭାବିତ ଅଞ୍ଚଳ ଏକାଧିକ ଜିଲ୍ଲାକୁ ବ୍ୟାପିଥାଏ, ତେବେ ସେହି ଖଣିରୁ ଆଦାୟ ହୋଇଥିବା DMF ପାଣ୍ଠି ପ୍ରଭାବିତ ଅଞ୍ଚଳର ପରିମାଣ ଅନୁସାରେ ସମ୍ପୃକ୍ତ ଜିଲ୍ଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏନେଇ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇଛି।

ପ୍ରସ୍ତାବ ଅନୁଯାୟୀ, ଖଣି ସୀମାରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ‘ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ’ ଏବଂ ୧୫ରୁ ୨୫ କିଲୋମିଟର ମଧ୍ୟର ଅଞ୍ଚଳକୁ ‘ପରୋକ୍ଷ ପ୍ରଭାବିତ ଅଞ୍ଚଳ’ ଭାବେ ଗଣନା କରାଯିବ। DMF ପାଣ୍ଠିର ୭୦ ପ୍ରତିଶତ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ ଏବଂ ୩୦ ପ୍ରତିଶତ ପରୋକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ କରାଯିବ। ୨୫ କିଲୋମିଟର ବାହାରେ ଥିବା ଅଞ୍ଚଳରେ ଏହି ପାଣ୍ଠି ବ୍ୟବହାର କରାଯିବ ନାହିଁ।

ନୂତନ ନୀତି ଅନୁସାରେ, ଖଣି ଯେଉଁ ଜିଲ୍ଲାରେ ଅବସ୍ଥିତ, ସେହି ଜିଲ୍ଲା ସମସ୍ତ DMF ଅର୍ଥ ସଂଗ୍ରହ କରିବ। ପରେ ଖଣି ପ୍ରଭାବିତ ଅଞ୍ଚଳର ଭୌଗୋଳିକ ପରିସର ଆଧାରରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସେମାନଙ୍କ ହକ୍‌ର ଅର୍ଥ ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍‌ ସେଣ୍ଟର (ORSAC) ଖଣି ପ୍ରଭାବିତ ଅଞ୍ଚଳ ଚିହ୍ନଟ କରିବ ଏବଂ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଏହାର ସମନ୍ୱୟ କରିବେ।

ସରକାର ଏହାର ଏକ ଉଦାହରଣ ମଧ୍ୟ ଦେଇଛନ୍ତି। ଯଦି ରାୟଗଡ଼ା ଜିଲ୍ଲାର ଏକ ଖଣିରୁ ୧୦୦ କୋଟି ଟଙ୍କା DMF ପାଣ୍ଠି ମିଳେ ଏବଂ ତାହାର ପ୍ରଭାବିତ ଅଞ୍ଚଳ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥାଏ, ତେବେ ପ୍ରଭାବିତ ଅଞ୍ଚଳର ଅନୁପାତ ଅନୁସାରେ ରାୟଗଡ଼ା ୬୬.୫ କୋଟି ଟଙ୍କା ରଖିବ ଏବଂ କଳାହାଣ୍ଡିକୁ ୩୩.୫ କୋଟି ଟଙ୍କା ପ୍ରଦାନ କରିବ। ସେହିପରି ଅନୁଗୁଳ ଜିଲ୍ଲାର ଏକ ଖଣିର ପ୍ରଭାବ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ବ୍ୟାପିଲେ, ୧୦୦ କୋଟି ଟଙ୍କାର DMF ପାଣ୍ଠି ମଧ୍ୟରୁ ଅନୁଗୁଳ ୪୪ କୋଟି, ସମ୍ବଲପୁର ୩୩ କୋଟି ଏବଂ ଦେବଗଡ଼ ୨୩ କୋଟି ଟଙ୍କା ପାଇବେ। ସରକାରଙ୍କ ମତରେ, ଏହି ବ୍ୟବସ୍ଥା ଦ୍ୱାରା ଖଣି କାର୍ଯ୍ୟକଳାପର ପ୍ରଭାବ ବହନ କରୁଥିବା ସମସ୍ତ ଜିଲ୍ଲା ନ୍ୟାୟସଙ୍ଗତ ଭାବେ DMF ପାଣ୍ଠିର ସୁବିଧା ପାଇପାରିବେ। ଏହି ନୂତନ ଶେୟାରିଂ ମେକାନିଜମ୍‌ ୧ ଜୁନ ୨୦୨୬ରୁ କାର୍ଯ୍ୟକାରୀ ହେବ।