ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣ ମାମଲା; ଉତ୍ତର ନଦେବା ପର୍ଯ୍ୟନ୍ତ ଗଛକଟା ବନ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କାହିଁକିନା ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି । ଏପର୍ଯ୍ୟନ୍ତ ୩ ଶହରୁ ଅଧିକ ଗଛ କଟାଯାଇଥିବାବେଳେ ୮୦୦ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା।ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ। ସାଧାରଣ ପ୍ରଶାସନ ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ୟ୍ୟ କରିଛନ୍ତି କୋର୍ଟ। ତେବେ ଏହା ମଧ୍ୟରେ ଗଛ ନ କାଟିବାକୁ ହାଇକୋର୍ଟ ସରକାରୀ ଓକିଲଙ୍କୁ ତାଗିଦ କରିଥିବା ବେଳେ ଏପରି ହେବନି ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି ସରକାରୀ ଓକିଲ। ଆଜି ଶୁଣାଣି ଆରମ୍ଭ ବେଳେ ଗଛ କଟା ନ ହୋଇ କିପରି ଉନ୍ନତିମୂଳକ କାମ ଯଥା ଆପାର୍ଟମେଣ୍ଟ, ମଲ୍ଟିପ୍ଲେକ୍ସ ନିର୍ମାଣ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରିବାକୁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। ଏହାର ପ୍ରତ୍ୟୁତ୍ତରରେ ନିୟମ ଅନୁଯାୟୀ ସବୁ ହେଉଥିବା ସରକାରୀ ଓକିଲ କହିଥିବା ବେଳେ ସତ୍ୟପାଠ ଜରିଆରେ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Related Posts