କୋଭିଡ ଅନାଥ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାରେ ନୂଆ ନିୟମ; କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିପାରିବେ କୋଭିଡ ଅନାଥ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ମହାମାରୀ କରୋନା | ଫଳରେ ବିଶ୍ୱର ଆର୍ଥିକ ଅବସ୍ଥା ଭୁଶୁଡି ପଡିଛି | ଏଥି ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି ମହାମାରୀ କରୋନା | ଫଳରେ ମହାମାରୀରେ ଅନାଥ ହେଲେ ହଜାର ହଜାର ଶିଶୁ । ବାପା, ମା’ଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି ଅନେକ ଶିଶୁ । ହେଲେ ଏବେ ଏହି କୋଭିଡ ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ସରକାର । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ । ଏହି କୋଟାରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ |

ଏମପି କୋଟାକୁ ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି ।ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ ୧୦ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ଜଣ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

ସୂଚନା ମୁତାବକ, କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ପାଇଁ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବରୁ ଲୋକସଭା ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲମାନଙ୍କରେ ୧୦ ଜଣ ପିଲାଙ୍କୁ ନାମ ଲେଖା ପାଇଁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭାର ସଦସ୍ୟମାନେ ନିର୍ବାଚନ ହୋଇଥିବା ରାଜ୍ୟର ୧୦ଜଣ ପିଲାଙ୍କ ଆଡମିଶନ ନେଇ ସୁପାରିଶ କରିପାରୁଥିଲେ । କେଭି ପକ୍ଷରୁ ସ୍ପନସରସିପ୍ ଏଜେନ୍ସି କୋଟା ଆଡମିସନ୍ ମଧ୍ୟ ଉଚ୍ଛେଦ କରାଯାଇଛି ।

ପିଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ କରୋନା ମହାମାରୀ ଅନାଥଙ୍କୁ ନାଁ ଲେଖାଇବା ଲାଗି ସୁଯୋଗ ମିଳିବ । କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି ସୁଯୋଗ ମିଳିବ । ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିପାରିବ । ଏହି କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସମସ୍ତ ଫି ଛାଡ଼ କରାଯିବ ।

Related Posts