ନବ ଦାସ ହତ୍ୟା ଘଟଣା; ପାଇଖାନା ଟାଙ୍କିରେ ହତ୍ୟା ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବିତିଛି ୪ଦିନ। ତେବେ ହତ୍ୟାର କାରଣ କଣ ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇ ନଥିବା ବେଳେ ଏବେ ଘଟଣାର ଆସିଛି ନୂଆ ମୋଡ଼। ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଲେଖିଥିବା ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି ବୋଲି କୁହାଯାଉଛି। ହାତ ଲେଖା ଚିଠିର ୧୨ ଖଣ୍ଡ କାଗଜ ଝାରସୁଗୁଡ଼ା ବିମାନବନ୍ଦର ଥାନାର ପାଇଖାନା ଟାଙ୍କିରୁ ମିଳିଥିବା ସୂଚନା ମିଳିଛି। ଗୋପାଳ ନିଜେ ଏହି ଚିଠି ଲେଖିଥିବା ମାନିଛି। ନାଲି ରଙ୍ଗରେ ଏହି ଚିଠି ଲେଖାଯାଇଛି। ଇଂରାଜୀ ଏବଂ ଓଡ଼ିଆରେ ଏସବୁ ଲେଖାଯାଇଛି। ତେବେ ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ଜଣାପଡ଼ିନାହିଁ।

ତେବେ ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ମାରାଥନ ଜେରା କରିବା ବେଳେ ସତ ଓଗାରିଥିଲା। ସେ ନବଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା କ୍ରାଇମବ୍ରାଞ୍ଚ ଆଗରେ କହିଥିଲା। ସେ ଚିଠିକୁ ସେ ଝାରସୁଗୁଡ଼ା ବିମାନବନ୍ଦର ଥାନାର ପାଇଖାନା ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଥିଲା।

ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍‌ପିଙ୍କ ସମେତ ପୁଲିସ୍ ଟିମ୍ ଗତକାଲି ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା। ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା। ଏହାପରେ ଟାଙ୍କିରୁ କିଛି କାଗଜ ମିଳିଥିବା ବେଳେ ଏବେ ମଧ୍ୟ ପାଇଖାନା ଟାଙ୍କିରେ ଖୋଳତାଡ ଚାଲିଛି ତଦନ୍ତକାରୀ ଦଳ। ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ଥିବାବେଳେ ସଂପୂର୍ଣ୍ଣ ଘଟଣାର ଭିଡ଼ିଓଗ୍ରାଫି କରାଯାଉଛି। ତେବେ ଏହି ପାଇଖାନା ଟାଙ୍କିରୁ ତଦନ୍ତକାରୀ ଅଧିକାରୀଙ୍କୁ ହତ୍ୟା କାଣ୍ଡ ନେଇ କି ପ୍ରମାଣ ମିଳୁଛି ତାହା ଜାଣିବାକୁ ସାରା ରାଜ୍ୟ ଅପେକ୍ଷା କରିଛି।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ଅଧିକାରୀମାନେ ଗୋପାଳକୁ ମାରାଥନ୍ ଜେରା କରିଥିଲେ।

Related Posts