ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ସହର ଉପକଣ୍ଠ ଏକ ଘ‌ରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁ ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ତଥା ଛାତ୍ରୀଙ୍କ ପୁରୁଷବନ୍ଧୁ ବିଶ୍ବଜିତ ଜେନା ହିଁ ମୁଖ୍ୟ ଅଭିଯୁକ୍ତ। ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ମୃତକଙ୍କ ପରିବାରବର୍ଗ ଅଭିଯୋଗ ଆଣି ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କରିଥିଲେ। ଆଜି ସନ୍ଧ୍ୟାରେ ଗୋଳନ୍ଥରା ପୁଲିସ ବିଶ୍ବଜିତଙ୍କ ନାମରେ କେସ୍‌ ନମ୍ବର ୨୨୬/୨୬ ବିଏନ୍ଏ‌ସ୍‌ ଦଫା (ଆତ୍ମହତ୍ୟା ପ୍ରରୋଚନା) ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହିତ ତତ୍କାଳ କୋର୍ଟ ଚାଲାଣ କରିଛି। ମୃତକଙ୍କ ଲାପ୍‌ଟପ୍‌ ଓ ମୋବାଇଲ୍‌ ଜବତ କରାଯାଇ କଲ୍‌ ଡିଟେଲ୍‌ସ ରିପୋର୍ଟ ମଗାଯାଇଛି। ପରିବାରବର୍ଗଙ୍କ ଅଭିଯୋଗ ଆଧାର‌ରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଥିବା ପୁଲିସ କହିଛି। ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍‌ ଓ ଅନ୍ୟାନ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।

ବ୍ରହ୍ମପୁର ସହର ଉପକଣ୍ଠ ଏକ ଘ‌ରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲ୍‌ରୁ ଗତକାଲି ସ୍ମୃତି ଭୋଳ ନାମକ ଜଣେ ବିସିଏ ଛାତ୍ରୀଙ୍କ ଝୁଲନ୍ତା ଶବ ମିଳିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିଲା। ପରେ ଏହି ସମ୍ବେଦନଶୀଳ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ତଥା ଛାତ୍ରୀଙ୍କ ପୁରୁଷବନ୍ଧୁ ବିଶ୍ବଜିତ ଜେନା ହିଁ ମୁଖ୍ୟ ଅଭିଯୁକ୍ତ ଓ ଏହା ଆତ୍ମହତ୍ୟା ନୁହେଁ; ସୁଚିନ୍ତିତ ହତ୍ୟା ବୋଲି ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ। ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା ପାଇଁ ହିଁ ସ୍ମୃତି ମାନସିକ ଭାରସାମ୍ୟ ହରାଇଥିଲେ। ତୁରନ୍ତ ତାଙ୍କୁ ଗିରଫ କରା ନଗଲେ ଆସନ୍ତାକାଲି ଏସ୍‌ପି ଅଫିସ୍‌ ଘେରାଉ ହେବ ବୋଲି ମୃତ ଛାତ୍ରୀଙ୍କ ଗାଁ ବୁଗୁଡ଼ା ବ୍ଲକ୍‌ ବାଲିପଦରବାସୀ ଚେତାବନୀ ଦେଇଥିଲେ।

ସେହି ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ସ୍ମୃତିଙ୍କ ବଡ଼ଭଉଣୀ କହିଥିଲେ, ବିଶ୍ବଜିତ ତାଙ୍କ ଭଉଣୀକୁ ଭଲ ପାଉଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। କିଛିମାସ ହେଲା ବ୍ଲାକ୍‌ମେଲିଂ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ୧୯ ତାରିଖ ରାତିରେ ସ୍ମୃତିଙ୍କୁ ବିଶ୍ବଜିତ କଲ୍‌ କରି ଛାତ୍ରୀନିବାସ ବାହାରକୁ ଡାକିଥିଲେ। ଗତକାଲି ସକାଳେ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ବିଶ୍ବଜିତ ହିଁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସେ ଅଭିଯୋଗ ଆଣିବା ସହ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ବୋଲି କହିଥିଲେ। ସେହିଭଳି ସ୍ମୃତିଙ୍କ ମାମୁ ମଙ୍ଗୁଳୁ ପ୍ରଧାନ କହିଥିଲେ, ବିଶ୍ବଜିତଙ୍କ ସହ ଭାଣିଜୀର ପ୍ରେମ ସଂପର୍କ ଥିଲା। ଏକମାସ ହେଲା ସେ ମାନସିକ ଚାପରେ ଥିଲେ। ଏକସପ୍ତାହ ତଳେ ଘରକୁ ଯାଇ କିଛି କଥାବାର୍ତ୍ତା କରି ନଥିଲେ। ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା। ଗତକାଲି ସ୍ମୃତିଙ୍କ ଝୁଲନ୍ତା ଶବ ମିଳିବା କ୍ଷଣି ବିଶ୍ବଜିତ ତରବରିଆ ଭାବେ ଆମ୍ବୁଲାନ୍ସ ଡାକି ଶବକୁ ହସ୍ପିଟାଲ ନେଇଥିଲେ।

ଉଲ୍ଲେଖଥାଉକି, ଏହି ଘଟଣାକୁ ନେଇ ବିଜେଡି ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ମନ୍ତ୍ରୀଙ୍କ ଇସ୍ତଫା ସହ ବିଚାରବିଭାଗୀୟ ଓ ନିରପେକ୍ଷ ତଦନ୍ତ ଦାବି କରିଥିଲା। ମନ୍ତ୍ରୀଙ୍କ ପୁତୁରା ହଷ୍ଟେଲକୁ ଆସି ଆମ୍ବୁଲାନ୍ସ ଡକାଇ ଛାତ୍ରୀଙ୍କ ଶବ ପଠାଇବା ବ୍ୟବସ୍ଥା କରିଥିଲେ ବି ପୁଲିସ ଏଯାବତ୍‌ ତାଙ୍କ ପାଖରେ କାହିଁକି ପହଞ୍ଚିନି ବୋଲି ପ୍ରଶ୍ନ କରଥିଲା। ଦାବି କରିଥିଲା ଯେ ସିସିଟିଭି ଫୁଟେଜ୍‌ ଓ ପାରିପାର୍ଶ୍ବିକ ପ୍ରମାଣ ନଷ୍ଟ ପୂର୍ବରୁ ମୃତ ଛାତ୍ରୀ ଓ ବିଶ୍ବଜିତଙ୍କ କଲ ରେକର୍ଡ଼ ଯାଞ୍ଚ କରାଯାଉ। ଠିକ୍‌ ଢଙ୍ଗରେ ତଦନ୍ତ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ଦଳ।