(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗକୁ ଆସୁଛି ପାର୍ବଣ ଋତୁ। ଏଥିରେ ମେଲୋଡ଼ି ଓ ଭଜନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଓଲିଉଡ଼ ଗାୟକ। ଏହି ପାର୍ବଣ ଋତୁରେ ମେଲୋଡ଼ି ଓ ଭଜନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦାବିରେ କଣ୍ଠଶିଳ୍ପୀ ମାନେ ପ୍ରତିବାଦ କରିଛନ୍ତି । ଗାୟକ ବିଷ୍ଣୁମୋହନ କବି, ତାରିଖ୍ ଅଜିଜ, ସତ୍ୟଜିତ ଆଦି କଣ୍ଠଶିଳ୍ପୀ ମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ସେମାନେ ଗୀତ ଗାଇ ରାଜ୍ୟ ସରକାରଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି।
ଓଡ଼ିଆ ଗାୟକ ମାନଙ୍କ ଅଭିଯୋଗ ଅନୁସାରେ କାରାନା ପାଇଁ ପାଖାପାଖି ୧୮ ମାସ ହେଲା କଳାକାର ମାନେ ରୋଜଗାର ହରାଇ ବସିଛନ୍ତି । ତେବେ ସ୍ଥିତି ଏମିତି ଯେ, କଳାକାର ମାନେ ରାସ୍ତାକଡ଼ରେ ପରିବା, ମାଛ ଓ ଛତୁ ବିକୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
କରୋନା କଟକଣା ଯୋଗୁଁ ସେମାନେ ସେମାନଙ୍କର ଜୀବିକା ହରାଇ ଦେଇଛନ୍ତି । ତେଣୁ ମ୍ୟୁଜିକ୍ ଆର୍ଟିଷ୍ଟ ୱେଲଫେୟାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଗକୁ ଆସୁଥିବା ଗଣେଷ ପୂଜା ପର ଠାରୁ ମଂଚ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଏହି ନୂତନ ଗାଇଡଲାଇନ ଅନୁଯାୟୀ, ଧାର୍ମିକ, ରାଜନୈତିକ, ସମାଜିକ ସମାବେଶ ଉପରେ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି।
ଏହା ବ୍ୟତୀତ ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ମଧ୍ୟ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି। ସେହିପରି ବିବାହ କାର୍ଯ୍ୟରେ ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨୫୦ ଜଣ ଉପସ୍ଥିତ ରହିପାରିବେ । ସର୍ବାଧିକ ୫୦ ଜଣ ସହ ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଛି। ସ୍ଥାନୀୟ ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା ହୋଇପାରିବ।