ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ । କରୋନାରୁ ସୁସ୍ଥ ପରେ  ଫୁସଫୁସ ସଂକ୍ରମିତ ହେବାରୁ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ନିକଟରେ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା କହିଥିଲେ ଯେ ଡାକ୍ତରମାନେ ଏକ୍‌ମୋ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇପାରନ୍ତି । କିନ୍ତୁ ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି । ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣେ ଜଣାଶୁଣା କଣ୍ଠଶିଳ୍ପୀ । ତାଙ୍କର ପରଲୋକରେ ସାରା କଳାକାର ଜଗତ ଏବେ ଶୋକାକୂଳ ହୋଇପଡିଛି। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇ ସେ ଓଡ଼ିଶାରେ ପରିଚିତ ହୋଇଥିଲେ।  ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତପୁ ତାଙ୍କ ସଂଗୀତ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଆଦି ଅନ୍ୟତମ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ସେ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

Related Posts