ଖୋର୍ଦ୍ଧା ବେଆଇନ ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ଏନ୍‌ଜିଟି ଛାଟ, ୧୨ କୋଟି ଜରିମାନା ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିରେ ବେଆଇନ ତଥା ବିପଦପୂର୍ଣ୍ଣ ପଥର ଖନନ ଅଭିଯୋଗକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ବେଆଇନ ଖନନ କରି ପଥର ଚାଲାଣ କରାଯିବା ପରେ ସଂପୃକ୍ତ ସ୍ଥାନକୁ ବିପଦପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଦିଆଯାଇଥିବାରୁ ଏହି ସବୁ ଖଣି ଅଞ୍ଚଳର କ୍ଷତିଭରଣା ଓ ସୁଧାର ପାଇଁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପରେ ଲାଗିଛି ୧୨ କୋଟି ଟଙ୍କାର ଜରିମାନା। ଏହି ଜରିମାନା ରାଶି ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଜମା କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଖନନ କରାଯାଇଥିବା ସ୍ଥାନର କ୍ଷତିଭରଣା ଓ ସ୍ଥିତିରେ ଆବଶ୍ୟକ ସୁଧାର ଆଣିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏକ କମିଟି ଗଠନ କରିବେ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ଏହି କାର୍ଯ୍ୟ ଚାରିମାସ ଭିତରେ ଶେଷ କରାଯିବ ବୋଲି ଏନ୍‌ଜିଟି କହିଛନ୍ତି।

ଏନ୍‌ଜିଟିଙ୍କ ରାୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ୨୦୨୩, ମାର୍ଚ୍ଚ ୩୧ରେ ଦାଖଲ କରିବେ। ମାମଲାର ଶୁଣାଣି ସମୟରେ ଦାଖଲ ଯୁଗ୍ମ କମିଟି ରିପୋର୍ଟରୁ ଜଣାପଡ଼ିଥିଲା ଯେ ମନ୍ଦିର ଜମିରେ ଥିବା ଖୋର୍ଦ୍ଧା ଜିଲ୍ଲାର ଦକ୍ଷିଣେଶ୍ବର, ନିଜିଗଡ଼ ତାପଙ୍ଗ, ଝିଙ୍କିଝରି, ନରସିଂହପ୍ରସାଦ, ଛତିପୁର, ଧଉଳିମୁହଁ ମୌଜାରେ ୨୬ଟି ମାଙ୍କଡ଼ା ପଥର ଖଣି ନିଲାମ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଚିହ୍ନଟ କରିଥିଲେ। ଏହିପଥର ଖଣି ନିଲାମ ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତରଫରୁ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୬ଟିରୁ ୪ଟି ପଥର ଖଣି ନିଲାମ ହୋଇଥିବା ବେଳେ ଏଥିରୁ ଗୋଟିଏର ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ଅନୁମତି ନଥିଲା। ଏଭଳି ସ୍ଥିତିରେ ୨୩ଟି ଖଣିରୁ ଭବିଷ୍ୟତରେ ‌ଆଉ ଖନନ କରାଯିବ ନାହିଁ। ଏହିସବୁ ଖଣି ଖନନ ହୋଇଥିବା ଅଞ୍ଚଳର ପୁନଃଉଦ୍ଧାର ପାଇଁ ପଦ‌କ୍ଷେପ ନିଆଯିବ ବୋଲି ଏନ୍‌ଜିଟି କହିଛନ୍ତି। ଏଥିସହିତ ୭୨ଟି କଳାପଥର ଖଣିରୁ ୬୪ଟି ନିଲାମ କରାଯାଇଥିଲା। କିନ୍ତୁ, ଏଥିରୁ ୨୭ଟି ଖଣିର ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ଅନୁମତି ରହିଛି। ଏହି ସବୁ ଖଣିରୁ ଖନନ ଜାରି ରହିଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ବେଆଇନ ଖଣି ଖନନ ଉପରେ ଅଙ୍କୁଶ ଜାରି ଉପରେ ଏନ୍‌ଜିଟି ଗୁରୁତ୍ବାରୋପ କରିଛନ୍ତି।

ଅନ୍ୟପଟେ, ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେଉଁ ଜମିରେ ପଥର ଖଣି ଅଛି, ତାହା ଶ୍ରୀମନ୍ଦିର ପ୍ରଶାସନର। ହେଲେ, ଏଠାରେ ବେଆଇନ୍‌ ଖନନ ଉପରେ ଅଭିଯୋଗ ପରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚଢ଼ାଉ ସହ କାର୍ଯ୍ୟାନୁଷ୍ଠାନ ନେଇଛି। ବିଭିନ୍ନ ସମୟରେ ଏହି ବେଆଇନ୍‌ ଖନନକାରୀଙ୍କ ବିରୋଧରେ ଜରିମାନା କରିଛି। ଏଣୁ ଏହି ଜମିର ବେଆଇନ ଖନନ ନେଇ ଚଢ଼ାଉ ବେଳେ ଯେଉଁ ରାଜସ୍ବ ଆସିଛି, ତାହା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାଖକୁ ଯାଇଛି। ଅନ୍ୟପଟେ ୧୨ କୋଟି ଟଙ୍କା ଏକ ବଡ଼ ଜରିମାନା। ଏତେ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପକ୍ଷେ ଦେବା ବି ସମ୍ଭବ ନୁହେଁ। ଏଣୁ ଏ ସମ୍ପର୍କରେ ଆମେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରିବୁ ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ନିଜିଗଡ଼ ତାପଙ୍ଗ ପଞ୍ଚାୟତାର ତାପଙ୍ଗ, ଅନ୍ଦ ଓ ଝିଙ୍କିଝରିରେ ବେଆଇନ ପଥର ଖନନ ନେଇ ଅଭିଯୋଗ ହୋଇଥିଲା। ଏପରି ଖଣି ଖନନ ପାଇଁ ‘ରାଟ୍ ହୋଲ୍ ମାଇନିଂ’ ପ୍ରକ୍ରିୟା ଅନୁସରଣ କରାଯାଉଥିବା ବେଳେ ଏସ୍‌ଓପି ଓ ପରିବେଶ ଆଇନ ପାଳନ କରାଯାଉ ନଥିଲା। ଜିଲ୍ଲାର ପ୍ରାୟ ୪୦ଟି ସ୍ଥାନରେ ୫ଶହ ଏକରରୁ ଅଧିକ ଜମିରେ ବେଆଇନ ପଥର ଖନନ କରାଯାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନ୍‌ଜିଟି ମାମଲାର ଶୁଣାଣି କରି ରିପୋର୍ଟ ତଲବ କରିଥିଲେ। ଆବେଦନକାରୀ ବିଦୁଭୂଷଣ ହରିଚନ୍ଦନ ଓ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

Related Posts