ଜୁନ୍ ରେ ନିଅଣ୍ଟିଆ ବର୍ଷା: ଜୁଲାଇରେ ଆସୁଛି 2ଟି ଲଘୁଚାପ

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳୁଥିବା ବେଳେ, କିନ୍ତୁ ଜୁନ୍ ମାସରେ ଯେତିକି ବର୍ଷା ହେବା ନେଇ ଆଶଙ୍କା କରାଯାଉଥିଲା ତାହା ହୋଇନାହିଁ । ଫଳରେ ଜୁନ୍‌ରେ ୩୭% କମ୍ ବର୍ଷା ହୋଇଛି । ୨୫ ଜିଲ୍ଲାରେ ବର୍ଷା ଅଭାବ ଦେଖିବାକୁ ମିଳିଛି । ୧୫ ଜିଲ୍ଲାରେ ମାଟି ଶୁଖିଲା, ଏଥିରୁ ୭ଟିରେ ସ୍ଥିତି ସାଂଘାତିକ ।

ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ- ଆସନ୍ତା ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ଓଡ଼ିଶା ଉପକୂଳ ପାଖରେ। ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସେହିପରି ଜୁଲାଇ ଦ୍ୱିତୀୟ ସପ୍ତାହ ଆରମ୍ଭରେ ସେଇ ଜାଗାରେ ଆଉ ଏକ ଲଘୁଚାପ ହୋଇପାରେ ।

ଆଜି ପୁରୀରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ପୁରୀର ଗୋଟିଏ ଦୁଇଟି ଜାଗାରେ ଅସରାଏ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କନ୍ଧମାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ । ୪ରୁ ବର୍ଷା ବଢ଼ିବ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରଥଯାତ୍ରାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ (୧୫ ମିମି ପର୍ଯ୍ୟନ୍ତ) ବର୍ଷା ହେବ । ପାଗ ମୁଖ୍ୟତଃ ମେଘୁଆ ରହିବ । ପୁରୀରେ ସକାଳେ ବର୍ଷା ସମ୍ଭାବନା ଅଛି । ଜୁଲାଇ ୧୦ରେ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ଏଥର ରଥଯାତ୍ରାରେ ‘ଧୂଳଆ ଗୁଣ୍ଡିଚା, କାଦୁଆ ବାହୁଡ଼ା’ ରହିପାରେ । ରାଜ୍ୟରେ ଜୁଲାଇ ୧ରୁ ୩ ହାଲୁକାରୁ ସ୍ୱଳ୍ପ, ୪ରୁ ୬ ହାଲୁକାରୁ ମଧ୍ୟମ ଓ ୭ରୁ ୧୦ ତାରିଖ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୦ ଦିନରେ ରାଜ୍ୟରେ ହାରାହାରି ୧୩୫ ମିମି ବର୍ଷା ସମ୍ଭାବନା ଅଛି ।

ଜୁନ୍‌ରେ କେବଳ ଢେଙ୍କାନାଳ, ଯାଜପୁର, ରାୟଗଡ଼ା, ନୂଆପଡ଼ା, କନ୍ଧମାଳରେ ବର୍ଷା ସ୍ୱାଭାବିକ ରହିଛି । ବାକି ସବୁଠି ବର୍ଷା କମ୍‌ ରହିଛି । ଜୁନ୍‌ ପହିଲାରୁ ଶେଷ ସୁଦ୍ଧା ରାଜ୍ୟରେ ହାରାହାରି ୨୩୩.୨ ମିମି ବର୍ଷା ହେବା କଥା । ହୋଇଛି ମାତ୍ର ୧୩୮.୯ ମିମି । ୧୫ଟି ଜିଲ୍ଲାରେ ୪୦%ରୁ ୮୬% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ରହିଛି।

Related Posts