ଆଜି ଶ୍ରୀଗୁଣ୍ଡିଚା ଯାତ୍ରା

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କ ପାଇଁ ଆଜି ବଡ଼ ଦାଣ୍ଡ କୁ ଓଲାହିବେ ମହାପ୍ରଭୁ । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।

ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି । ସମସ୍ତେ ଚାତକ ପରି ଅନେଇ ରହିଛନ୍ତି, ଶ୍ରୀଜିଉ ମାନେ କେତେବେଳେ ରଥ ଉପରେ ବିରାଜମାନ କରିବେ। କାରଣ ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।

ରଥଯାତ୍ରା ପାଇଁ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀର ସମସ୍ତ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ପୂରା ସହର ଉପରେ ନଜର ରଖିଛି ସିସିଟିଭି । ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରେ ପ୍ରତିଟି ଗାଡ଼ି ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ପୋଲିସ ଟିମ୍‌ । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ୧ ହଜାର ବଛା ବଛା ଅଧିକାରୀ, ସାଧା ପୋଷାକଧାରୀ ପୋଲିସ, ବମ୍‌ ସ୍କ୍ବାର୍ଡ଼, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ମୁତୟନ ହୋଇଛନ୍ତି ।

ସେହିପରି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଦେଶ, ବିଦେଶରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଏହି ସମୟରେ ପୁରୀକୁ ଆସୁଥିବା ହଜାର ହଜାର ଗାଡ଼ିକୁ ପାର୍କିଂ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

Related Posts