ବାଉନ୍‌ସର ବିଚରଣ ପଛରେ ନିରଞ୍ଜନ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍‌ସର ବୁଲିବା ବିବାଦ ଥମିବାର ନାଁ ଧରୁନାହିଁ । ପ୍ରତି 12 ଘଣ୍ଟାରେ ଥରେ ଲେଖାଏଁ ଦଳର ନେତାମାନେ ଗଣମାଧ୍ୟମରେ ମତ ବଦଳାଉଛନ୍ତି । ଗତ 17 ତାରିଖ ଦିନ କଂଗ୍ରେସ ଭବନ ଭିତରକୁ ବାଉନ୍‌ସରକୁ କେଉଁ ନେତା ଆଣିଥିଲେ, କାହିଁକି ଆଣିଥିଲେ ଏ ପ୍ରସଙ୍ଗ 4 ଦିନ ପରେ ବି ଗଣମାଧ୍ୟମରୁ ହେଡଲାଇନରୁ ତଳକୁ ଖସି ନାହିଁ । ଗଣମାଧ୍ୟମରେ ଯେଉଁ ଭିଜୁଆଲ ବୁଲୁଛି ସେଥିରେ ବାଲେଶ୍ବରୁ ସାଂସଦ ପ୍ରାର୍ଥୀ ହୋଇଥିବା ନବୋଜ୍ୟୋତି ପଟ୍ଟନାୟକ କଂଗ୍ରେସ ଭବନ ଭିତରକୁ ପଶିବା ବେଳକୁ ତାଙ୍କ ପଛରେ ଦଳେ ବାଉନ୍‌ସର ଏସ୍‌କଟ ଭଳି ଯାଉଥିବାର ଜଣାପଡ଼ୁଛି । ଅବଶ୍ୟ ଏହାର ଅର୍ଥ ନୁହଁ ଏହି ବାଉନ୍‌ସରଙ୍କୁ ନବ ଜ୍ୟୋତି ପଟ୍ଟନାୟକ ଆଣିଛନ୍ତି । ହୋଇଥାଇ ପାରେ ନବଜ୍ୟୋତି ପଶିବା ବେଳକୁ ଏମାନେ ମଧ୍ୟ ପଶୁଥିଲେ ଏବଂ କ୍ୟାମେରାରେ ଏସ୍‌କଟ କଲା ଭଳି ଲାଗୁଥାଇ ପାରେ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନିରଞ୍ଜନ ଏକ କମିଟି ଗଠନ କରିଛନ୍ତି । ଏସବୁ କଥାକୁ ବିଚାର କଲେ ବାଉନ୍‌ସର ଯିଏ ବି ପଠାଉନା କାହିଁକି ଦଳରେ କର୍ମୀଙ୍କୁ ଯେ ବିଚରଧାରା ଅନୁସାରେ ଗଠନମୂଳକ ଢ଼ଙ୍ଗରେ ଲଗାଯାଇ ନାହିଁ ତାହା ପ୍ରମାଣିତ କରୁଛି ଆଉ ଏହାର ଉତ୍ତର ଦାୟିତ୍ବ ସଭାପତି ଭାବେ ନିରଞ୍ଜନଙ୍କ ପାଖକୁ ଯିବ । ତେବେ କମିଟି ରିପୋର୍ଟ ଯାହା ବି ଦେଉନା କାହିଁକି ଏବେ ଯେଉଁ ପ୍ରଶ୍ନ ବୁଦ୍ଧିଜୀବୀ ଏବଂ କଂଗ୍ରେସ ଥିଙ୍ଗ୍‌ଟାଙ୍କ ଭିତରେ ଆଲୋଚନା ହେଉଛି ତାହା ହେଲା ଦଳରେ କେଉଁ ନେତା ଦଳ ଭିତରୁ ଆକ୍ରମଣ ଏବଂ ବିପଦର ଆଶଙ୍କା କରୁଛନ୍ତି ଆଉ ନିଜକୁ ଅସୁରକ୍ଷିତ କରୁଛନ୍ତି ?

କିଏ ସେ ନେତା ଯାହାଙ୍କ ପ୍ରତି କଂଗ୍ରେସ ଭବନ ଭିତରେ ଆକ୍ରମଣର ଆଶଙ୍କା ରହିଛି ?
ତା’ ଛଡ଼ା କିଏ ସେ ନେତା ଯାହାଙ୍କର ମହଙ୍ଗା ବାଉନ୍‌ସରଙ୍କୁ ମୁତୟନର ଖର୍ଚ୍ଚ ବହନ କରିପାରିବାର ପ୍ରଚୁର ଅର୍ଥବଳ ଅଛି ?

ଏ ସମସ୍ତ ପ୍ରଶ୍ନ ଭିତରେ ଆଉ ଏକ ପ୍ରସଙ୍ଗ ବାଉନ୍‌ସର ବିଚରଣ ସମ୍ପର୍କରେ ଆଲୋଚନା ହେଉଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଦଳର ସାମ୍ପ୍ରତିକ ସ୍ଥିତି ସହ ଅନେକ ମହତ୍ବ ରଖୁଛି । ତାହା ହେଲା ଯେଉଁଠି ବିଚାରର ବିଲୋପ ଘଟିବ ସେଇଠି ବାଉନ୍‌ସର ହିଁ ବିଚରଣ କରିବେ । ଏକଥାର ତାତ୍‌ପର୍ଯ୍ୟ ଏବେ କଂଗ୍ରେସ ଦଳ ପାଇଁ ଅନେକ ରହିଛି । ଯେଉଁ ସମୟରେ ନିରଞ୍ଜନ ବାବୁଙ୍କୁ ପିସିସି ସଭାପତିର ଦାୟିତ୍ବ ଦ୍ବିତୀୟ ଥର ପାଇଁ ଦିଆଗଲା ତାହା ନିରଞ୍ଜନଙ୍କ ପାଇଁ ଯେତିକି ବଡ଼ ସୁଯୋଗ ଥିଲା ସେତିକି ବଡ଼ ଆହ୍ବାନ ମଧ୍ୟ ଥିଲା । ପ୍ରାୟ ତାଙ୍କ ବିରୋଧରେ ଗତ ଡିସେମ୍ବର ଯାଏ ଦଳ ଭିତରେ ପ୍ରତିଦ୍ବନ୍ଦ୍ବୀ ନଥିଲେ । ତାଛଡ଼ା AICC ନେତୃତ୍ବର ସମ୍ପୂର୍ଣ୍ଣ ବିଶ୍ବାସ ମଧ୍ୟ ରହିଛି ତାଙ୍କ ଉପରେ । ଦଳ ଭିତରେ ଓ ବାହାରେ ବହୁ ଲୋକଙ୍କର ନିରଞ୍ଜନଙ୍କ ନେତୃତ୍ବ ଉପରେ ଆଶା ଓ ଭରସା ଥିଲା ଯେ କଂଗ୍ରେସର କାକଳ୍ପ କରିବାରେ କେବଳ ତାଙ୍କରି ପାଖରେ ରାଜନୈତିକ ଓ ଆର୍ଥିକ ଦକ୍ଷତା ଅଛି ବୋଲି ଲୋକେ ବିଶ୍ବାସ କରୁଥିଲେ । ତେଣୁ ନିରଞ୍ଜନଙ୍କ ପାଖରେ ସୁଯୋଗ ଥିଲା କଂଗ୍ରେସର ପୁରା କ୍ୟାଡର ବ୍ୟାଙ୍କକୁ ବିଜୁ ଜନତା ଦଳ 20 ବର୍ଷ ଶାସନର ତମାମ ଦୋଷ ତୃଟି କିଭଳି ଭାବେ ବିରୋଧ କରାଯାଇ ପାରିବ ଏବଂ କଂଗ୍ରେସର ବିକଳ୍ପ ଏବଂ ବିକାଶର ନକ୍ସା କ’ଣ ତାକୁ ଲୋକଙ୍କ ପାଖରେ କଂଗ୍ରେସ କିଭଳି ପହଞ୍ଚାଇବାରେ ସଫଳ ହେବ ତା’ର ମୁଖ୍ୟ ନାୟକ ନିରଞ୍ଜନ ହେବେ ବୋଲି ରାଜନୈତିକ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଦଳୀୟ ନେତୃବୃନ୍ଦଙ୍କ ଯାଏ ସମସ୍ତଙ୍କ ଆଶା ଥିଲା । କିନ୍ତୁ ତାଙ୍କର ସଭାପତିତ୍ବ କାର୍ଯ୍ୟକାଳକୁ ଦେଖିଲେ ନିର୍ଦ୍ଦିଷ୍ଟ ବିଚାର ବା ବିକଳ୍ପ ଓ ବିକାଶର ଯୋଜନା ସମ୍ପର୍କିତ କୌଣସି ଗୋଟିଏ ପ୍ରସଙ୍ଗକୁ ଜନ ଆନ୍ଦୋଳନର ରୂପ ଦେବାରେ ଅସମର୍ଥ ହେଲେ । କେବଳ ଦଳରେ ଅସନ୍ତୋଷକୁ ମ୍ୟାନେଜ କରିବା, କାହାକୁ ଟିକେଟ ଦିଆଯିବ, କାହାକୁ ଦିଆଯିବନି, କାହାକୁ କମିଟିରେ ରଖାଯିବ ଆଉ କାହାକୁ କଡ଼ାଯିବ ଏହି ହିସାବରେ ପ୍ରାୟ ସବୁତକ ସମୟ ସାରିଦେଲେ ।

ନବୀନ ବାବୁଙ୍କ ଶାସନରେ ବିଗତ 20 ବର୍ଷ ଭିତରେ ରାଜ୍ୟର ଉଚ୍ଚଶିକ୍ଷାର ଗୁଣବତାକୁ ଏକ ପ୍ରକାର ଧୂଳିସାତ୍ କରିଦିଆଯାଇଛି । ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ 15,670 ମଞ୍ଜୁରୀପ୍ରାପ୍ତ ପଦବୀରୁ 7749 ପୋଷ୍ଟ ଏବେ ଖାଲି ପଡ଼ିଛି । ରାଜ୍ୟରେ ମୋଟ 11ଟି ସରକାରୀ ବିଶ୍ବବିଦ୍ୟାଳୟରେ ମୋଟ ପ୍ରଫେସର ଓ ଆସିଷ୍ଟାଣ୍ଡ ପ୍ରଫେସର 1424 ପଦରୁ 838ଟଇ ପୋଷ୍ଟ ଖାଲି ପଡ଼ିଛି । ଉଦାହରଣ ସ୍ବରୂପ ଓଡ଼ିଶାର ସବୁଠାରୁ ସର୍ବପୁରାତନ ଓ ସବୁଠାରୁ ବଡ଼ ଉତ୍କଳ ବିଶ୍ବବିଦ୍ୟାଳୟରେ 47ରୁ 22ଟି ପଦବୀ ଖାଲି ପଡ଼ିଛି । ଆହୁରି ଦୟନୀୟ ସ୍ଥିତି ହେଉଛି ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ 7କୁ 7ଟି ପ୍ରଫେସର ପଦବୀ ଖାଲି ପଡ଼ିଛି । ରାଜ୍ୟର କୌଣସି ସରକାରୀ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ଏକ ପ୍ରକାର ପଙ୍ଗୁ ହୋଇ ପଡ଼ିଛି । ଏ ସମ୍ପର୍କରେ ନିରଞ୍ଜନଙ୍କ ନିର୍ଦ୍ଦେଶରେ କଂଗ୍ରେସ ଏକ ଗଠନମୂଳକ କ୍ୟାମ୍ପେନ କରିପାରିଥାନ୍ତା । ଏଥିପାଇଁ ଦଳର ଛାତ୍ର ଓ ଯୁବ ସଂଗଠନକୁ ନେଇ ସକରାତ୍ମକ କ୍ୟାମ୍ପେନ କରାଯାଇପାରିଥାନ୍ତା । ଏଥିପାଇଁ ଆବଶ୍ୟକତା ଥିଲା ଶିକ୍ଷାର ସଂସ୍କାରରେ ବିରୋଧୀ ରାଜନୈତିକ ଦଳ କିଭଳି ଭାବେ ହସ୍ତକ୍ଷେପ କରିପାରିବ ତାହାର ଏକ ବିଚାରଧାରାକୁ କାର୍ଯ୍ୟରେ ଲଗାଇବା । ଯାହାକୁ ନିରଞ୍ଜନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯଦି ଏହା କରାଯାଇଥାନ୍ତା ତାହା ହେଲେ ଛାତ୍ର ଓ ଯୁବ ନେତୃତ୍ବ ଠିକଣା ଭାବରେ ନିୟୋଜିତ ହୋଇପାରିଥାନ୍ତେ ।

ନାବାଳିକା ଓ ମହିଳାଙ୍କ ନିର୍ଯାତନା ଓ ଦୁଷ୍କର୍ମର ଶିକାର ଘଟଣା ସାରା ଦେଶରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ବିପଦଜ୍ଜନକ । ଏଥିରେ କଂଗ୍ରେସର କାର୍ଯ୍ୟ କାଁ ଭାଁ ଓ ବିକ୍ଷୋଭରେ ସିମୀତ ରଖିଛି । ମାସ ମାସ ଧରି ମହିଳା କଂଗ୍ରେସ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି । ମହିଳା ଓ କଂଗ୍ରେସ କର୍ମୀଙ୍କ ଭିତରେ ଏବେ ନେତୃତ୍ବର ସଙ୍କଟ ଦେଖାଦେଇଛି । ସେପଟେ ଏଭଳି ସମୟରେ କଂଗ୍ରେସ କର୍ମୀ ଏବଂ ଖାସ୍‌ କରି ମହିଳା କ୍ୟାଡରର କର୍ମୀଙ୍କୁ ଠିକଣା ଢ଼ଙ୍ଗରେ ଏକ ସଠିକ ବିଚାରରେ ଗଠନମୂଳକ କାର୍ଯ୍ୟରେ ଲଗାଯାଇପାରିଥାନ୍ତା କିନ୍ତୁ ତାହା କରାଗଲା ନାହଁ ।

ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସବୁଠୁ ଉପେକ୍ଷିତ । ପ୍ରାୟ ୨୯ ହଜାର ନର୍ସ ଓ ପରାମେଡିକାଲ ପଦବୀ ବିଭିନ୍ନ ସରକାରୀ ଡାକ୍ତରଖାରନାରେ ଖାଲି ପଡ଼ିଛି । ହଜାର ହଜାର ଡାକ୍ତର ପଦବୀ ବି ଖାଲି ପଡ଼ିଛି । ସମସ୍ତ ଡାକ୍ତରଖାନା ପ୍ରାୟ ମୃତ୍ୟୁ ସଯ୍ୟାରେ । ଯେଉଁଥିପାଇଁ କି ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇ ପାରୁନାହିଁ । କାରଣ ଓଡ଼ିଶାର ଲୋକ ପ୍ରାୟ ରୋଗ ଗ୍ରସ୍ତ । ସ୍ବାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଏବଂ ସଂସ୍କାର ଆଣିବା ପାଇଁ କଂଗ୍ରେସ ଏକ ବିଧିବଦ୍ଧ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ ହାତକୁ ନେଇପାରିଥାନ୍ତା ସରକାରଙ୍କୁ ସୂଚିତ କରିବାରେ ଆଉ ବାଧ୍ୟ କରିବାରେ । ଏଥିରେ ସଭାପତି ଭାବେ ନିରଞ୍ଜନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, କିନ୍ତୁ ତାହା କରିବାରେ ଅସମର୍ଥ ହେଲେ ନିରଞ୍ଜନ । ଏଥିରେ ଦଳୀୟ କର୍ମୀଙ୍କୁ ଲଗାଯାଇ ପାରିଥାନ୍ତା ।

ରାଜ୍ୟରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଦୈନିକ ୫୫ ଲୀଟର ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଏବଂ ବିଶ୍ବ ବ୍ୟାଙ୍କ ସହ ଏମ୍‌ଓୟୁ କଲେ । ନବୀନ ବାବୁଙ୍କ ୨୦ ବର୍ଷର ଶାସନ ପରେ ଏବଂ ଏମ୍‌ଓୟୁର ୧୦ ବର୍ଷ ପରେ ଏବେ ମାତ୍ର ୩୦ ପ୍ରତିଶତ ଲୋକଙ୍କ ଜଳ ଯୋଗାଯାଇ ପାରୁଛି । ବିସୁଦ୍ଧ ଜଳ ମିଳୁନାହିଁ ପ୍ରଦୂଷିତ ଜଳ ପାଇଁ ଡାଏରିଆରେ ଯେତେ ଲୋକ ମରୁଛନ୍ତି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବି ଲୋକଙ୍କର ପ୍ରାଣ ହାତୀ ଘଟୁନାହିଁ । କଂଗ୍ରେସ ଭଳି ଏକ ବିରାଟ ରାଜନୈତିକ ଦଳ ଭାବେ ଏଭଳି ଏକ ପ୍ରସଙ୍ଗକୁ ଆଗକୁ ନେବାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିବା ରହିଛି । ଆବଶ୍ୟକତା ଅଛି ଦଳର ବିଚାରଧାରା ଏବଂ ତାକୁ କାର୍ଯ୍ୟରେ ଲଗାବାର । ଏହି ଦାୟିତ୍ବ ହେଉଛି ସଭାପତିଙ୍କର । ଏଥିପାଇଁ ଦଳୀୟ କର୍ମୀଙ୍କୁ ନେଇ ଏକ ସେଲ୍‌ ଗଠନ କରାଯାଇ ତାଙ୍କୁ କାର୍ଯ୍ୟରେ ଲଗାଯାଇ ପାରିଥାନ୍ତା । ସରକାରଙ୍କୁ ଏଥିପାଇଁ ମଧ୍ୟ ଜବାବଦେହୀ କରାଯାଇପାରିଥାନ୍ତା, କିନ୍ତୁ ତାହା କରାଗଲ ନାହିଁ ।

5-ଟି ଏବଂ ମୋ ସରକାର କରି ନବୀନ ବାବୁଙ୍କ ସରକାର ଲୋକଙ୍କୁ ଯେଭଳି ଭୁଆଁ ବୁଲାଉଛନ୍ତି ତାର ବାସ୍ତବିକତାକୁ ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିଥାନ୍ତା । ଥାନା କଚେରିର ସଂସ୍କାର କଥା ସରକାର କହୁଛନ୍ତି କିନ୍ତୁ ବାସ୍ତବରେ ପ୍ରତ୍ୟେକ ଥାନାରେ କିଭଳି ଲୋକଙ୍କୁ ବ୍ୟବହାର କରାଯାଉଛି । ଲୋକଙ୍କ ବିରୋଧରେ କିଭଳି ମିଛ ମାଲି ମକଦ୍ଦମା କରାଯାଉଛି ଏବଂ ରାଜନୈତିକ ଲୋକମାନେ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ କିଭଳି ଫସାଯାଉଛି । ଏହା ବିରୋଧରେ କାର୍ଯ୍ୟକ୍ରମ କରାଯାଇପାରି ଥାନ୍ତା, ଏହା ମଧ୍ୟ କରାଗଲା ନାହିଁ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବେକାରୀ ସମସ୍ୟା । ଓଡ଼ିଶାରେ ଲକ୍ଷାଧିକ ସରକାରୀ ଅନୁଷ୍ଠାନରେ ପଦବୀ ଖାଲି ପଡ଼ିଛି, ଏହାକୁ ପୂରଣ କରାଯାଉନାହିଁ । କାରଣ ସରକାର ଏହି ପଦବକୁ ପୂରଣ କଲେ ବା ନିଯୁକ୍ତି ଦେଲେ ବାର୍ଷିକ ୯ରୁ ୧୦ ହଜାର କୋଟି ସରକାରଙ୍କୁ ଦେବାକୁ ପଡ଼ିବ । ତେଣୁ ରାଜ୍ୟର ଶିକ୍ଷିତ ଯୁବକ-ଯୁବତୀଙ୍କୁ ବେକାର ରଖିଛନ୍ତି ସରକାର । ଏକ ମୁଖ୍ୟ ରାଜନୈତକ ଦଳ ଭାବେ କଂଗ୍ରେସର ଗୁରୁ ଦାୟିତ୍ବ ଯେ ନିଯୁକ୍ତି ସତ୍ୟାଗ୍ରହ ସାରା ଓଡ଼ିଶାରେ କରାଯାଇ ପାରିଥାନ୍ତା, ଆଉ କଂଗ୍ରେସର ବିଚାରଧାରାକୁ ଆଗକୁ ନେଇ ଏକ ଗଠନମୂଳକ କାର୍ଯ୍ୟକ୍ରମ ଜରିଆରେ ଏଥିରେ ଯୁବକ ଏବଂ ଛାତ୍ରଙ୍କୁ ବି ଯୋଡ଼ାଯାଇପାରିଥାନ୍ତା । କିନ୍ତୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାହା କଲେ ନାହିଁ । ଏହା ଦର୍ଶାଉଛି ଯେ ଯେଭଳି ବେକାରୀ ବଢ଼ିଲେ ସମାଜରେ ବିଶୃଙ୍ଖଳା ଓ ଅସମାଜିକ ତତ୍ତ୍ବ ବୃଦ୍ଧି ପାଏ, ସେହିଭଳି ଏକ ରାଜନୈତିକ ଦଳରେ ମଧ୍ୟରେ ଯଦି ବିଚାରଧାରର ମରୁଡ଼ି ଦେଖାହେବ ବା କର୍ମୀମାନଙ୍କୁ ଗଠନମୂଳକ କାର୍ଯ୍ୟରେ ନ ଲଗା ହେବ । ତେବେ କର୍ମୀମାନେ ବନା କୌଣସି କାର୍ଯ୍ୟ, ବିନା କୌଣସି ବିକ୍ଷୋଭରେ ବେକାର ବସିବେ । ଏଭଳି ସ୍ଥିତିରେ କେବଳ ବାଉନ୍‌ସର ହିଁ ବୁଲିବେ କୌଣସି ବିଜ୍ଞ ବ୍ୟକ୍ତି ନୁହେଁ ।

Related Posts