ପ୍ରଚାର ବେଳେ ଅଚେତ ହୋଇ ମଞ୍ଚରେ ପଡ଼ିଗଲେ ନୀତିନ ଗଡ଼କରୀ

ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ):  ପ୍ରଚାର ସମୟରେ ହତାତ୍ ଅଚେତ ହୋଇ ମଞ୍ଚରେ ପଡ଼ିଗଲେ ନୀତିନ ଗଡ଼କରୀ। ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରୀୟମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ଚିକିତ୍ସା ଆରମ୍ଭ କରିଥିଲେ। ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ‌ସୁରକ୍ଷାକର୍ମୀ ଏବଂ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରବଳ ଗରମ ଯୋଗୁ ଏଭଳି ହୋଇଥିବା କୁହାଯାଉଛି।

ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।

ଗଡ଼କରୀ ଏହା ପୂର୍ବରୁ ୨୦୧୮ରେ ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହଠାତ୍ ମଞ୍ଚରେ ଅଚେତ ହୋଇଯାଇଥିଲେ। ମଞ୍ଚରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଥିଲେ। ରାଜ୍ୟପାଳ ଗଡ଼କରୀଙ୍କୁ ମଞ୍ଚରେ ସମ୍ଭାଳିଥିଲେ।

ସେତେବେଳେ କୁହାଯାଇଥିଲା ଗଡ଼କରୀଙ୍କ ରକ୍ତଶର୍କରାସ୍ତର କମି ଯିବାରୁ ଏଭଳି ହୋଇଥିଲା। ତାଙ୍କୁ ପାଣି ପିଇବାକୁ ଦିଆଯାଇଥିଲା। ଏହା ସହିତ ପେଡା ଖାଇବାକୁ ଦିଆଯାଇଥିଲା। ଏହା ପୂର୍ବରୁ ମଧ୍ୟ ଏକ ରାଲିରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗଡ଼କରୀ ନିଜ ଓଜନ କମାଇବା ପାଇଁ ଅପରେସନ କରିସାରିଛନ୍ତି।

ଏବେ ଗଡ଼କରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲଥିବା କୁହାଯାଉଛି। କିଛି ସମୟ ବିଶ୍ରାମ ପରେ ସେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିପାରିବେ ବୋଲି କୁହାଯାଉଛି।

Related Posts