‘ଡେମୋକ୍ରାଟିକ ଆଜାଦ ପାର୍ଟି’; ନିଜ ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଜି ନିଜର ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ବୋଲି ସେ ଘୋଷଣା କରିଛନ୍ତି। ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ନାମ ଘୋଷଣା କରିଛନ୍ତି। ତେବେ ଗତ ମାସରେ ଆଜାଦ କଂଗ୍ରେସ ସହିତ ନିଜର ପାଞ୍ଚ ଦଶନ୍ଧିରୁ ଅଧିକ ପୁରୁଣା ସମ୍ପର୍କ ଛିନ୍ନ କରିଦେଇଥିଲେ। ଏହାପରେ ଆଜି ସେ ନିଜର ନୂତନ ଦଳ ଘୋଷଣା କରିଛନ୍ତି। ଆଜାଦ୍ ରବିବାର ଠାରୁ ତିନି ଦିନିଆ ଜମ୍ମୁ ଗସ୍ତରେ ଅଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କ ନୂଆ ଦଳର ଆଦର୍ଶ ଏହାର ନାମ ପରି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ଯୋଗ ଦେଇ ପାରିବେ।ତେବେ ଜମ୍ମୁ କଶ୍ମୀର କଂଗ୍ରେସ କମିଟିର ଅଧିକାଂଶ ବରିଷ୍ଠ ନେତା ଦଳ ଛାଡି ଆଜାଦଙ୍କ ସମର୍ଥନରେ ଆସିଛନ୍ତି। ସେ ଦଳର ଏଜେଣ୍ଡା ସ୍ପଷ୍ଟ କରିସାରିଛନ୍ତି। ଜମ୍ମୁ କଶ୍ମୀରରେ ପୂର୍ଣ୍ଣ ରାଜ୍ୟତା ପୁନଃ ସ୍ଥାପିତ କରିବା, ସ୍ଥାନୀୟ ଲୋକଙ୍କ ପାଇଁ ଜମି ଏବଂ ଚାକିରି ଅଧିକାର ପାଇବା ପାଇଁ ସଂଗ୍ରାମ ଜାରି ରଖିବା ତାଙ୍କ ଏଜେଣ୍ଡାରେ ସାମିଲ ରହିଛି।

ସୂଚନାଯୋଗ୍ୟ ଯେ, ୧୯୭୩ ମସିହାରେ ଆଜାଦ ଡୋଡା ଜିଲାର ଭାଲେସା ବ୍ଲକ କଂଗ୍ରେସ କମିଟିର ସଚିବ ଭାବରେ ରାଜନୀତି ଆରମ୍ଭ କରିଥିଲେ। ଏହା ପରେ ତାଙ୍କର ସକ୍ରିୟତା ଏବଂ ଶୈଳୀ ଦେଖି କଂଗ୍ରେସ ତାଙ୍କୁ ଯୁବ କଂଗ୍ରେସର ସଭାପତି ଭାବରେ ମନୋନୀତ କରାଯାଇଥିଲା। ସେ ୧୯୮୦ରେ ମହାରାଷ୍ଟ୍ରରୁ ପ୍ରଥମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ୧୯୮୨ରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବରେ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ ଦ୍ୱିତୀୟ ୟୁପିଏ ସରକାରରେ ଆଜାଦ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୫ରେ ସେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Related Posts