ନୂଆଦିଲ୍ଲୀ : ପାକିସ୍ତାନ ଏବେ ଘୋର ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛି | ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କୁ ହନ୍ତସନ୍ତ କଲାଣି । ସେଠାରେ ସରକାର ଆଇଏମଏଫରୁ ଲୋନ ଆଣିବାକୁ ପେଟ୍ରୋଲ ଡିଜେଲ ଦର ବଢାଇଥିଲେ । ପୁଣି ସରକାର ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ବୃଦ୍ଧି କରିଛନ୍ତି ।
ଏବେ ଏହି ଆତଙ୍କବାଦୀ ଦେଶରେ ପେଟ୍ରୋଲ ଦର ୨୦୦ ଟଙ୍କା ଟପିଛି ।
ମଧ୍ୟ ରାତ୍ରରେ ପାକିସ୍ତାନରେ ନୂଆ ଦର ଲାଗୁ ହୋଇଯାଇଛି । ପୂର୍ବରୁ ପାକ୍ ମନ୍ତ୍ରୀ ମିଫତାହ ଇସମାଇଲ୍ ତୈଳ ଦର ବୃଦ୍ଧି ନେଇ ସୂଚନା ଦେଇଥିଲେ । ନୂଆ ଦର ଅନୁସାରେ ପେଟ୍ରୋଲ ଲିଟର ପିଛା ୨୦୯ ଟଙ୍କା ୮୬ ପଇସା ଓ ଡିଜେଲ ୨୦୪.୧୫ ଟଙ୍କା ହୋଇଯାଇଛି ।
ପାକିସ୍ତାନ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ମେ ୩୧ ପରେ ବୃଦ୍ଧି ପାଇଛି । ଏହାଦ୍ୱାରା ଦରଦାମ ବଢିବ । କିନ୍ତୁ ଏପରି କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ।
ପାକିସ୍ତାନ ସରକାର ବିରୋଧରେ ନିଆଯାଇଥିବା ଏପରି ନିଷ୍ପତ୍ତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କଡା ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ପାକି୍ ସରକାର ପେଟ୍ରୋଲିୟମ ଉତ୍ପାଦରେ ପ୍ରାୟ ୪୦ ପ୍ରତିଶତ ବା ଦୁଇ ଥର ୬୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାସହ ବିଜୁଳି ଦାମରେ ବି ୮ ଟଙ୍କା ବଢିଛି । ଯାହା ୭୫ ବର୍ଷରେ ସର୍ବାଧିକ ବୋଲି ସେ କହିଛନ୍ତି ।





