
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ସିଧା ଫ୍ଲାଇଟ୍ ଏବେ ସମ୍ଭବ ନୁହେଁ । ଆଗାମୀ କିଛି ମାସ ପର୍ଯ୍ୟନ୍ତ ସମ୍ଭବ ପରି ଲାଗୁ ନାହିଁ। ବେଜିଂର ଜିରୋ କୋଭିଡ ପଲିସି ଯୋଗୁ କଡା ଫ୍ଲାଇଟ୍ କଟକଣା ଦୁଇ ଦେଶଙ୍କ ସିଧା ବିମାନ ସେବାରେ ବାଧା ସୃଷ୍ଟି କରିଛି। ତେବେ ଚୀନ୍ ଏବେ ଭିସା ନୀତି କୋହଳ କରିଛି। ଏଣୁ ସେଠାରେ ମେଡିକାଲ ଓ ଅନ୍ୟ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ବସବାସ କରୁଥିବା ନାଗରିକ ଏବେ ଅନ୍ୟ ଦେଶରୁ ଚୀନକୁ ବିମାନ ଧରୁଛନ୍ତି। ତେବେ ଚୀନ୍ କଟକଣା ସବୁ ଦେଶଙ୍କ ଲାଗି ସମାନ ରହିଛି।
ସେପଟେ ଚୀନ୍ ଭାରତକୁ ସିଧା ବିମାନ ଉଡାଣ ବନ୍ଦ କରିଦେଇଥିବା ବେଳେ ବାଂଲାଦେଶ, ପାକିସ୍ତାନ ଓ ନେପାଳ ସମେତ ଅନ୍ୟ ଦେଶଙ୍କୁ ସୀମିତ ଉଡାଣ ଅନୁମତି ଦେଇଛି, ତେବେ କଟକଣା ବଳବତ୍ତର ରଖିଛି। ଭାରତ-ଚୀନ ସିଧା ଫ୍ଲାଇଟ୍ ୨୦୧୯ରେ ବୁହାନରେ ପ୍ରଥମ କୋଭିଡ ସଂକ୍ରମିତ ମିଳିବା ପରେ ବନ୍ଦ କରି ଦିଆଯାଇଥିଲା। ଚୀନ୍ ୩ ବର୍ଷ ପରେ ନିକଟରେ ଭିସା କଟକଣା କୋହଳ କରିଛି। କଟକଣା କୋହଳ ହେବା ପରେ ୨୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଚୀନ୍ ଯିବାକୁ ପ୍ରସ୍ତୁତି କରିଦେଇଥିଲେ। ତେବେ ସିଧା ବିମାନ ଉଡାଣ ନଥିବାରୁ ସେମାନଙ୍କୁ କଷ୍ଟ କରିବାକୁ ପଡୁଛି।
ତେବେ ଯେଉଁ ଭାରତୀୟ ଛାତ୍ରଛାତ୍ରୀ ଚୀନ୍ରେ ପାଠ ପଡୁଛନ୍ତି ସେମାନେ ହଂକଂ ରାସ୍ତାରେ ଚୀନ ଯାଇ ପାରିବେ ବୋଲି ଭାରତ ସରକାର ପରାମର୍ଶ ଦେଇଛନ୍ତି। ଭାରତ ଓ ହଂକଂ ମଧ୍ୟରେ ସିଧା ଫ୍ଲାଇଟ୍ ସୁବିଧା ଅଛି ଓ ବିଭିନ୍ନ ଭାରତୀୟ ସହରରୁ ନିୟମିତ ଉଡାଣ ହେଉଛି। ଏଣୁ ଏହି ରାସ୍ତାରେ ଯାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଚୀନ୍ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଅନ୍ୟ ଦେଶ ଦେଇ ଚୀନ୍ ଗଲେ ମଧ୍ୟ ସେଠାରେ ୭ ଦିନ କ୍ୱାରେଣ୍ଟାଇନରେ କଟାଇବାକୁ ପଡିବ ବୋଲି କୁହାଯାଇଛି।
ଭାରତ ଓ ଚୀନ୍ ମଧ୍ୟରେ ସୀମିତ ବିମାନ ସେବା ଆରମ୍ଭ କରିବାକୁ ଦାବି ହେଉଛି। ଗତ କିଛି ମାସ ହେଲା ଏ ନେଇ ଆଲୋଚନା ମଧ୍ୟ ଚାଲିଛି। ତେବେ ବେଜିଂର କଡା ନିୟମ ଯୋଗୁ କଥା ଆଗକୁ ବଢି ପାରୁ ନାହିଁ। ସବୁଠୁ ବଡ଼ କଥା ହେଉଛି ବିମାନରେ ଯାଇଥିବା ଜଣେ ଯାତ୍ରୀ ଯଦି କୋଭିଡ ପେଜେଟିଭ ଚିହ୍ନଟ ହୁଅନ୍ତି ତେବେ ଚୀନ୍ ପୁରା ବିମାନ ରଦ୍ଦ କରିଦେଉଛି। ହେଲେ ଯାହା ଗୁରୁତ୍ୱପୂର୍ଣ୍ଣ କଥା ତାହା ହେଉଛି ଚୀନ୍ ଦୂତାବାସ ସବୁ ଯାତ୍ରୀଙ୍କ ପରୀକ୍ଷଣ କରିବା ପରେ ହିଁ ଯାତ୍ରା ଅନୁମତି ଦେଉଛନ୍ତି। ଏହା ବାଦେ ଯଦି କେହି କରୋନା ପଜିଟିଭ ବାହାରନ୍ତି ତେବେ ପୁରା ପ୍ଲାଇଟ୍ କ୍ୟାନସଲ ସହ କିଛି ଦିନ ପର୍ଯ୍ୟନ୍ତ ଫ୍ଲାଇଟ୍ ବ୍ୟାନର ମଧ୍ୟ ସମ୍ମୁଖୀନ ହେବ