“କାହାକୁ ଜୋର ଜବରଦସ୍ତି ଟୀକା ଦିଆ ଯାଇପାରିବ ନାହିଁ, ଭ୍ୟାକସିନ ସାର୍ଟିଫିକେଟ ବାଧ୍ୟତାମୂଳକ ନୁହଁ”-କେନ୍ଦ୍ର ସରକାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ କରୋନାର ତୃତୀୟ ଲୋହର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଦେଶରେ ହଜାର ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପଟେ କରୋନାକୁ ରୋକିବା ପାଇଁ ଟୀକାକରଣ ପ୍ରକି୍ରୟା ମଧ୍ୟ ଦେଶରେ ଜୋରସୋର ଚାଲିଛି । ଏହା ମଧ୍ୟରେ ଟୀକାକରଣକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଏଣିକି ଲୋକଙ୍କ ବିନା ଅନୁମତିରେ ଟୀକାକରଣ କରାଯାଇ ପାରିବ ନାହିଁ । ଏପରିକି ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତି ବିନା ବାଧ୍ୟତାମୂଳକ ଟୀକାକରଣ ବିଷୟରେ କୁହାଯାଇ ନାହିଁ। ଏନେଇ ଭିନ୍ନକ୍ଷମଙ୍କ ନିକଟରେ ଟୀକାକରଣକୁ ସହଜ କରିବାକୁ ଚାହୁଁଥିବା ଏକ ନିବେଦନର ଜବାବରେ କେନ୍ଦ୍ର ସରକାର ଏପରି କହିଥିବାର ଦେଖିବାକୁ ମିଳିଛି । ଏହି ଆବେଦନରେ ଭିନ୍ନକ୍ଷମମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘର ଘର ବୁଲି ଟୀକାକରଣ କରିବାକୁ ଅନୁରୋଧ କରାଯାଇଛି ।

ସେପଟେ ଭାରତ ସରକାର ଏପରି କୌଣସି ନିୟମ ବାହାର କରିନାହାନ୍ତି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଟୀକାକରଣ ପ୍ରମାଣପତ୍ରକୁ ବହନ କରିବା ବାଧ୍ୟତାମୂଳକ । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ଗାଇଡଲାଇନ ପ୍ରଣୟନ କରିଛନ୍ତି । ଏବଂ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଭିନ୍ନକ୍ଷମଙ୍କ ପାଇଁ ମୋଟ ୨୩୬୭୮ ଡୋଜ ଦିଆଯାଇଛି । ଯାହା ସ୍ୱେଚ୍ଛାକୃତ ଭାବରେ ଚିହ୍ନଟ ହେବା ପାଇଁ ମନୋନୀତ ହୋଇଛି । ଏହା ସହ ଭିନ୍ନକ୍ଷମମାନଙ୍କ ପାଇଁ କୋୱିନ ଆପ କାର୍ଯ୍ୟକାରୀ କରୁଛି । ଅନ୍ୟପଟେ ଦେଶରେ କୋଭିଡ -୧୯ ଟୀକାକରଣ ଅଭିଯାନର ଏକ ବର୍ଷ ପୂରଣ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସ୍ୱଦେଶ ନିର୍ମିତ ଟିକା ‘କୋଭାକ୍ସିନ’ ଉପରେ ଆଧାର କରି ଏକ ଡାକ ଷ୍ଟାମ୍ପ ଜାରି କରିଛନ୍ତି। ଏଥିସହ ଏହା ମଧ୍ୟ କହିଛନ୍ତି ଯେ ଦେଶର ୭୦ପ୍ରତିଶତ ବୟସ୍କ ଲୋକଙ୍କୁ ଉଭୟ ଡୋଜ ଦିଆଯାଇଥିବାବେଳେ ୯୩ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ।

Related Posts