ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି ଏହି ଗାଇଡଲାଇନରେ

ସତ୍ୟପାଠ ବ୍ୟୁରୋ : କରୋନା କଟକଣା ଯୋଗୁଁ ଏଥର ସ୍ୱାଧୀନତା ଦିବସ ସମାରୋହକୁ ନିରାଡମ୍ବରଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ ଓ କିମ୍ବା ସାଧାରଣ ଜନତାଙ୍କୁ ଆମନ୍ତ୍ରିତ କରାଯିବ ନାହିଁ । କେବଳ ଗୋଟିଏ କିମ୍ବା ଦୁଇଟି ପୁଲିସ କଣ୍ଟିଜେଣ୍ଟ ଏଥିରେ ଭାଗ ନେବେ ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ସମାରୋହ ଯଥାସମ୍ଭବ କମ ଲୋକରେ ପାଳନ କରିବାକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି । ସମେତ କେବଳ ୫୦ରୁ ୭୫ ଜଣ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ କରାଯିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ କରୋନା ଯୋଦ୍ଧାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କୋଭିଡ କଟକଣା ମାନି ସ୍ୱାଧୀନତା ଦିବସ ପାଳନ ଲାଗି କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡଲାଇନ ଜାରି କରିଥିଲା । ସେହି ଗାଇଡଲାଇନ ଭିତ୍ତିରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି । ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ ରଖିବେ ଓ ମାସ୍କ ପିନ୍ଧିବେ । ପ୍ରବେଶ ପଥରେ ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ ।

Related Posts