ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ସର୍ବଶ୍ରେଷ୍ଠ ସାମ୍ୱାଦିକତା ଶିକ୍ଷା ସଂସ୍ଥାନ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି)ର ମହାନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି ଯେ, ସାମ୍ୱାଦିକତାରେ କ୍ୟାରିୟର ପାଇଁ ସେପରି କୌଣସି ନିର୍ଦ୍ଦିଷ୍ଠ ଯୋଗ୍ୟତାର ଆବଶ୍ୟକତା ନାହିଁ।
ସୂଚନା ଅନୁସାରେ, ଆଇଆଇଏମସି ମହାନିର୍ଦ୍ଦେଶକ ଭାବେ ପ୍ରଫେସର ଦ୍ୱିବେଦୀଙ୍କ ନିଯୁକ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାଚିକାରେ କୁହାଯାଇଥିଲା ଯେ ତାଙ୍କ ପାଖରେ ଆବଶ୍ୟକ ଯୋଗ୍ୟତା ନାହିଁ ଏବଂ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ବର୍ମା ଓ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଖଣ୍ଡପୀଠ ସିଙ୍ଗିଲ ଜଜ୍ ( ଜଣିକିଆ ଖଣ୍ଡପୀଠ)ଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ଡାକ୍ତରୀ କିମ୍ବା ଆଇନ ପରି, ସାମ୍ବାଦିକତାରେ କ୍ୟାରିୟର ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତାର ଆବଶ୍ୟକ ନାହିଁ।
ସୂଚନା ଥାଉକି, ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କୁ ଜୁଲାଇ ୨୦୨୦ରେ ଆଇଆଇଏମସିର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା। ତାଙ୍କର ନିଯୁକ୍ତିକୁ ନେଇ ଡା. ଆଶୁତୋଷ ମିଶ୍ରା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେ ଯାଚିକାରେ କହିଥିଲେ ଯେ ପ୍ରଫେସର ଦ୍ୱିବେଦୀ ଏହି ପଦରେ ରହିବା ପାଇଁ ଯୋଗ୍ୟ ନୁହଁନ୍ତି। କେବଳ ସେତିକି ନୁହେଁ ତାଙ୍କ ବିରୁଦ୍ଧରେ ଠକାମୀ ଓ ଅପରାଧିକ ମାମଲା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହି ଯାଚିକାକୁ ଜଣିକିଆ ଖଣ୍ଡପୀଠ ୨୦୨୦ ରେ ଖାରିଜ କରିଦେଇଥିଲେ। ଆଇଆଇଏମ୍ସି ଡିଜି ନିଯୁକ୍ତି ମାମଲାରେ ଦୁଇ ପକ୍ଷଙ୍କ ଆବେଦନ ଶୁଣିଥିଲେ କୋର୍ଟ। ଏହାପରେ ଖଣ୍ଡପୀଠ କହିଥିଲେ ଯେ, ଆଇଆଇଏମସି ଦ୍ୱାରା ୧୩ ଜୁନ ୨୦୧୯ ବିଜ୍ଞାପନ ସହ ଦ୍ୱିବେଦୀଙ୍କ ବାୟୋଡାଟା କୋର୍ଟ ପଢ଼ିଥିଲେ। ଏଥିରୁ କୋର୍ଟ ସ୍ପଷ୍ଟ ହୋଇଥିଲେ ଯେ ଦ୍ୱିବେଦୀଙ୍କ ନିଯୁକ୍ତି ନିର୍ଦ୍ଧାରିତ ନିୟମ ଅନୁସାରେ ହୋଇଥିଲା। ଏଥିପାଇଁ କୋର୍ଟ ଯାଚିକାକୁ ଖାରଜ କରୁଛି।
