ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅପରାହ୍ନ ୨ ଟା ସୁଦ୍ଧା ଦାଖଲ କରିବାକୁ ପଡ଼ିବ ନାମାଙ୍କନ; ଆସନ୍ତା କାଲି ନୂତନ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ଉପରେ ଲାଗିବ ମୋହର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ମଧ୍ୟରାତ୍ରିରେ ହୋଇଥିବା ମତଦାନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେପଟେ ରାଷ୍ଟ୍ରୀୟ ସଭାର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ପାକିସ୍ତାନୀ ମୁସଲିମ୍ ଲିଗ୍-ନୱାଜର ଆୟାଜ୍ ସାଦିକ୍ କହିଛନ୍ତି ଯେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ରବିବାର ଅପରାହ୍ନ ୨ ଟା ସୁଦ୍ଧା ଦାଖଲ ହୋଇପାରିବ ଏବଂ ଏହାର ଯାଞ୍ଚ ଅପରାହ୍ନ ୩ ଟା ପର‌୍ୟ୍ୟନ୍ତ ହେବ । ଦେଶର ନୂତନ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଗୃହର ପରବର୍ତ୍ତୀ ବୈଠକ ଏପ୍ରିଲ ୧୧ ତାରିଖ ଅପରାହ୍ନ ୨ ଟାରୁ ଆରମ୍ଭ ହେବକୁ ଯାଉଛି । ଏହି ସମୟରେ ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କ ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି। ଇମ୍ରାନଙ୍କ ବ୍ୟତୀତ ଫୱାଦ ଚୌଧୁରୀ ଏବଂ ଶାହ ମେହମୁଦଙ୍କ ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି।

ଏହି ତିନିଜଣଙ୍କ ନାମ ଏକ୍ଜିଟ୍ କଣ୍ଟ୍ରୋଲ୍ ଲିଷ୍ଟ ତାଲିକାରେ ରଖିବାକୁ ଦାବି ହୋଇଛି। ଏପ୍ରିଲ ୧୧ ରେ ହାଇକୋର୍ଟରେ ଏହି ପିଟିସନର ଶୁଣାଣି ହେବ। ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ମାତ୍ରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି। ଅନାସ୍ଥା ପ୍ରସ୍ତାବରେ ପରାଜୟ ବରଣ କରିବା ପରେ ଖାନଙ୍କ ଦଳର ମୁଖପାତ୍ର ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ରାତିରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଫୋନ୍ ଛଡ଼ାଇ ନିଆଯାଇଥିଲା। ଇମ୍ରାନ ଖାନଙ୍କ ପାର୍ଟି ଟ୍ୱିଟ କରି ଏହି ସୂଚନା ଦେଇଛି। ଇମ୍ରାନ ଖାନ ଦେଶର ଇତିହାସରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ, ଯିଏକି ଏକ ଅନାସ୍ଥା ପ୍ରସ୍ତାବ ଦ୍ୱାରା ନିଜ ପଦ ହରାଇଛନ୍ତି ।

ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ସମୟରେ ୬୯ ବର୍ଷୀୟ ଖାନ ନିମ୍ନ ଗୃହରେ ଉପସ୍ଥିତ ନଥିଲେ ଏବଂ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫର ସାଂସଦମାନେ ମଧ୍ୟ ଭୋଟ୍ ଦେବା ପାଇଁ ବାହାରକୁ ଯାଇଥିଲେ। ଶନିବାର ଦିନ ଦିନସାରା ଘଟଣା ଘଟିବା ପରେ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ମତଦାନ । ୩୪୨ ସଦସ୍ୟ ବିଶିଷ୍ଟ ଜାତୀୟ ସଭାରେ ମିଳିତ ବିରୋଧୀଦଳ ସହିତ ୧୭୪ ଜଣ ସଦସ୍ୟ ଏକ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ । ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ୧୯୪୭ ପରଠାରୁ ଆଜି ପର‌୍ୟ୍ୟନ୍ତ କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତାଙ୍କର ପାଞ୍ଚ ବର୍ଷ କାର‌୍ୟ୍ୟ ସମାପ୍ତ କରିନାହାଁନ୍ତି।

Related Posts