(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜଙ୍ଗଲ ଜମିରେ ଚାଲିଛି ଅଣ ଜଙ୍ଗଲ କାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ଚଳାଇବାପାଇଁ ଅନୁମତି ଦିଆଯାଇଛି । ସେଥି ମଧ୍ୟରୁ ଚଳିତବର୍ଷ ଜୁନ୍‍ ମାସ ସୁଦ୍ଧା ୫୯୦ ହେକ୍ଟର ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆ ଯାଇଛି । ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ।

ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଗୃହରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଅଣଜଙ୍ଗଲ ପାଇଁ ବର୍ତ୍ତମାନ ସୁଦ୍ଧା ୫୮,୧୬୫ ହେକ୍ଟର ଜଙ୍ଗଲ ଜମିକୁ ଅନୁମତି ଦିଆଯାଇଥିବାବେଳେ ୬୩,୦୪୭ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ କରାଯାଇଛି ।

ସେହିଭଳି ଚଳିତବର୍ଷ ଜୁନ୍‍ ସୁଦ୍ଧା ୫୯୦ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଦେଇଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଅନୁମୋଦନର ସର୍ତ୍ତ ଅନୁଯାୟୀ ଅନୁମୋଦିତ ଜଙ୍ଗଲ ଜମି ପ୍ରତିବଦଳରେ ୮୪୫ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ ୩ବର୍ଷ ମଧ୍ୟରେ କରିବାପାଇଁ ବ୍ୟବସ୍ଥା ରହିଥିବା କୁହାଯାଇଛି ।