ଆଫଗାନିସ୍ଥାନରେ ଗଠନ ହେଲା ତାଲିବାନ ସରକାର : ମୁଲ୍ଲା ହସନ ଅଖୁନ୍ଦ ହେଲେ ସୁପ୍ରିମଲିଡର୍

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ତାଲିବାନ ଦ୍ଵାରା ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା ସହିତ ମୁଲ୍ଲା ହସନ ଅଖୁନ୍ଦଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ  ଘୋଷଣା କରାଯାଇଛି। ମୁଲ୍ଲା ହସନ ଅଖୁନ୍ଦ ବର୍ତ୍ତମାନ ରହବାରୀ ଶୁରା(ଲିଟରଶିପ କାଉନସିଲ)ର ପ୍ରମୁଖ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଘୋଷଣା କରିଛନ୍ତି ଯେ , ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ଏବଂ ତାଲିବାନ ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ନୂଆ ସରକାରରେ ଉପପ୍ରଧାନମନ୍ତ୍ରୀ ହେବେ। ତେବେ ଆଫଗାନିସ୍ତାନରେ ଗଠନ ହୋଇଥିବା ଏହି ନୂଆ ସରକାର କାମଚଳା ବୋଲି ମୁଜାହିଦ ସ୍ପଷ୍ଟ କରିଛନ୍ତି । 

ଅପରପକ୍ଷରେ ତାଲିବାନ ମନ୍ତ୍ରୀ ମଣ୍ଡଳରେ ସିରାଜୁଦ୍ଦିନ ହକ୍କାନୀ କାମଚଳା ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଅମିର ଖାନ୍‌ ମୁତ୍ତାକି ବିଦେଶ ମନ୍ତ୍ରୀ, ଆବାସ ସ୍ତାନିକଜାଇ ଉପ ବିଦେଶ ମନ୍ତ୍ରୀ , ମୁଲ୍ଳା ମହମ୍ମଦ ଓମାରଙ୍କ ପୁ୍ଅ ମୁଲ୍ଲା ୟାକୁବ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ନେଇ ତାଲିବାନ ମୁଖପାତ୍ର କହିଛନ୍ତି । ମନ୍ତ୍ରୀ ପରିଷଦରେ ଅବଦୁଲ ସଲାମ ହନାଫି ଦ୍ବିତୀୟ ଉପପ୍ରଧାନମନ୍ତ୍ରୀ, ହେଦାୟାତୁଲ୍ଲା ବଦ୍ରି ଅର୍ଥ ମନ୍ତ୍ରୀ, ଡିନ ମହମ୍ମଦ ଅର୍ଥନୀତି ବ୍ୟାପାର ମନ୍ତ୍ରୀ ‌ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ଥାନରେ ତାଲିବାନ କେଉଁ ଭଳି ଶାସନ କରିବ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି। ପୂର୍ବରୁ ମଧ୍ୟ ତାଲିବାନ ୨ ଥର ସରକାର ଘୋଷଣା ସ୍ଥଗିତ ରଖିଥିଲା। ବର୍ତ୍ତମାନ ନୂତନ ସରକାର ଗଠନ କରିଥିବା ବେଳେ ମୁଲ୍ଲା ହାସନ ଅଖୁନ୍ଦ ତାଲିବାନର ସବୁଠାରୁ ଶକ୍ତିଶାଳୀ ନିଷ୍ପତ୍ତି ନିର୍ଣ୍ଣୟ କମିଟିର ମୁଖ୍ୟ ଅଛନ୍ତି। ମୁଲ୍ଲା ହାସନ ଶେଖ୍‌ ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ସହ ତାଙ୍କର ଦୀର୍ଘ ୨୦ ବର୍ଷ ଧରି ଅତି ଘନିଷ୍ଠ ସଂପର୍କ ରହିଛି । ୨୦ ବର୍ଷ ତଳେ ଆଫଗାନିସ୍ତାନରେ ଗଠନ ହୋଇଥିବା ତାଲିବାନ ସରକାରରେ ହାସନ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ କାର୍ଯ୍ୟ କରିଥିଲେ। 

Related Posts