ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ କରାଯାଇଛି । ଗତ ୨୦ ତାରିଖରେ ଯାଜପୁରକୁ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଗାୟକ ତାରିକ ଅଜିଜ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସହ ମାଙ୍କ ଦର୍ଶନ କରିଥିଲେ । ତେବେ ଦର୍ଶନ କରିଥିବା ଫଟୋ ସବୁକୁ ନିଜ ଇନଷ୍ଟାଗ୍ରାମରେ ଛାଡିବା ପରେ ତାରିକ ଅଜିଜଙ୍କ ଗିରଫ ଦାବି ସହ ତାଙ୍କୁ ଦର୍ଶନ କରାଇବାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ପାଇଁ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ବିବାଦ ପରେ ତାରିକ ତାଙ୍କ ଇନଷ୍ଟାଗ୍ରାମରୁ ଫୋଟୋଟିକୁ ଡିଲିଟ୍ କରିଦେଇଛନ୍ତି।
ଏକଥା ପ୍ରଘଟ ହେବାପରେ ଆଜି ମା’ଙ୍କର ମହାସ୍ନାନ କରାଯାଇଛି । ତେବେ ଆଜି ଏଥିନେଇ ମନ୍ଦିରରେ ଶୋଧନ କାର୍ଯ୍ୟ ଚାଲୁଥିବା ବେଳେ ଆସିଥିବା ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନ ନପାଇ ଫେରି ଯାଇଥିଲେ ଏଥିସହ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ମନ୍ଦିର ସେବାୟତ ନିରବ ରହିବା ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି ।
ଅନ୍ୟପଟେ ଅବିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଗିରଫ ନ କରାଗଲେ ଶାନ୍ତିପୂର୍ଣ୍ଣ ଭାବେ ମନ୍ଦିର ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ବିରଜା ବାହିନୀ ସଭାପତି ।





