କମ୍ ଦକ୍ଷତା ଥିବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ଵ ସ୍ତରରେ ଏବେ ଟେକନଲୋଜୀ ଶିଳ୍ପରେ ବ୍ୟାପକ ଛଟେଇ ଚାଲିଛି । ପ୍ରଥମେ ଟ୍ବିଟର ଏହାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ।କମ୍ପାନି ପକ୍ଷରୁ ଅତି କମରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରାଯାଉଛି ।

ତେବେ କମ୍ପାନି ପକ୍ଷରୁ ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ କାର୍ଯ୍ୟଦକ୍ଷତା ପରିମାପ ବ୍ୟବସ୍ଥା ଲାଗୁ କରାଯାଇଛି ।ଏହି ମାନଦଣ୍ଡ ଅନୁସାରେ କମ୍ ଦକ୍ଷତା ସମ୍ପନ୍ନ କର୍ମଚାରୀମାନଙ୍କୁ ଛଟେଇ କରାଯିବ । ସାରା ବିଶ୍ବରେ ଗୁଗୁଲର ମୂଳ କମ୍ପାନି ଆଲଫାବେଟରେ ପ୍ରାୟ ୧ ଲକ୍ଷ ୮୭ ହଜାର କର୍ମଚାରୀ ଅଛନ୍ତି ।

ତେବେ ଗୁଗୁଲର ଏହି ଛଟେଇ ପଛରେ ଆଉ ଏକ କାରଣ ଥୁବା କୁହାଯାଉଛି । ଏହି କମ୍ପାନିର ଜଣେ ପ୍ରମୁଖ ନିବେଶକ ବ୍ରିଟେନର କୋଟିପତି ଖ୍ରୀଷ୍ଟୋଫର ହନ କମ୍ପାନିକୁ ଏକ ପତ୍ର ଲେଖି ଜଣାଇଥିଲେ ଯେ କମ୍ପାନିରେ ଆବଶ୍ୟକତାଠାରୁ ଅଧିକ କର୍ମଚାରୀ ଅଛନ୍ତି ଓ ସେମାନେ ଅନ୍ୟ କମ୍ପାନିର କର୍ମଚାରୀମାନଙ୍କ ତୁଳନାରେ ଅତ୍ୟଧିକ ଦରମା ପାଉଛନ୍ତି । ଏଣୁ ଖର୍ଚ୍ଚ କାଟ କରିବାକୁ ହେଲେ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଉ ବୋଲି ସେ ଦାବି କରିଥିଲେ ।

ତେବେ ବିଶ୍ବ ବଜାରରେ ମାନ୍ଦାବସ୍ଥା ଓ ଖର୍ଚ୍ଚ କାଟ ଲକ୍ଷ୍ୟରେ କମ୍ପାନିମାନେ ଛଟେଇ କରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆର୍ଥକ ମାନ୍ଦାବସ୍ଥା କାରଣରୁ ଗତ କିଛି ମାସ ମଧ୍ୟରେ ବିଶ୍ବବ୍ୟାପୀ ପ୍ରାୟ ୮୫୦ଟି କମ୍ପାନି ମୋଟ ୧,୩୬,୯୮୯ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି ।

Related Posts