ଉତ୍ତର କୋରିଆ ପରୀକ୍ଷଣ କଲା ସବୁଠୁ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତର କୋରିଆ ପରୀକ୍ଷଣ କଲା ସବୁଠୁ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର । ସେପଟେ ଏହା ଉପରେ ଆମେରିକା ଏବଂ ଦକ୍ଷିଣ କୋରିଆ ପ୍ରତିକ୍ରିୟା ଦେଇଛନ୍ତି । ଏହି ପରୀକ୍ଷଣକୁ ଭୁଲ ବୋଲି କହିଛନ୍ତି । ଆମେରିକା କହିଛି ଯେ କଥାବାର୍ତ୍ତା ପାଇଁ ଏବେବି ରାସ୍ତା ଖୋଲା ଅଛି । ଉତ୍ତର କୋରିଆରେ ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ସୁଙ୍ଗ କିଙ୍ଗ ଏହି ପରୀକ୍ଷଣର ଦୁଇ ଦିନ ପରେ ଦକ୍ଷିଣ କୋରିଆ ଗସ୍ତ କରିଥିଲେ । ସେଠାରେ ସେ ଦକ୍ଷିଣ କୋରିଆର ତାଙ୍କ ସମକକ୍ଷଙ୍କ ସହ ବୈଠକ କରିଥିଲେ । ତାପରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଆମେ ଉତ୍ତର କୋରିଆର ଏହି ପରୀକ୍ଷଣକୁ ନିନ୍ଦା କରୁଛୁ । ଉତ୍ତର କୋରିଆ ଚିନ୍ତା ବଢାଇବା ଭଳି ପଦକ୍ଷେପ ନେଇପାରେ । ସେପଟେ ଦକ୍ଷିଣ କୋରିଆର କୂଟନୀତିଜ୍ଞ ନୋହ କିୟୁ-ଡୁକ ଉତ୍ତର କୋରିଆ ସହ ଆଲୋଚନା ପାଇଁ ଅପିଲ କରିଛନ୍ତି । ଉତ୍ତର କୋରିଆ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ନିଜକୁ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମଜବୁତ କରିବାରେ ଲାଗିଛି। ଚଳିତ ବର୍ଷ ମାତ୍ର ୩ ମାସରେ ଉତ୍ତର କୋରିଆ ୧୩ଟି ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିସାରିଛି । ଏହା ଦକ୍ଷିଣ କୋରିଆର ଚିନ୍ତା ବଢାଇ ଦେଇଛି ।

ଏଥିରୁ ଅନେକ କ୍ଷେପଣାସ୍ତ୍ର ଦୂରଗାମୀ ଥିଲା । କେବଳ ଏତିକି ନୁହେଁ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଖୁବ୍ ଶୀଘ୍ର ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷଣ କରିପାରେ । ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ଏହି ଆନ୍ତଃ ମହାଦ୍ବିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍)ର ନାମ ହ୍ବାସୋଙ୍ଗ -୧୭ (ଆଇସିବିଏମ୍) ରଖିଛି । ଏହା ସର୍ବାଧିକ ୬,୨୪୮ କିଲୋମିଟର (୩,୮୮୦ ମାଇଲ) ଉଚ୍ଚତା ପର୍ୟ୍ୟନ୍ତ ପହଞ୍ଚିଛି । ଏହା ଉତ୍ତର କୋରିଆ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ପଡିବା ପୂର୍ବରୁ ୬୭ ମିନିଟରେ ୧,୦୯୦ କିଲୋମିଟର (୬୮୦ ମାଇଲ) ଅତିକ୍ରମ କରିଥିଲା । ଉତ୍ତର କୋରିଆ ଦାବି କରିଛି ଯେ, ଏହା ସର୍ବୋଚ୍ଚ ଦୂରଗାମୀ କ୍ଷେପଣାସ୍ତ୍ର । ଅନ୍ୟପଟେ ଉତ୍ତର କୋରିଆର ତାନାଶାହ କିମ୍ ଜୋନ୍ ଉଙ୍ଗ ଲଗାତର ଆମେରିକାକୁ ଚ୍ୟାଲେଞ୍ଜ କରୁଛନ୍ତି । ଆମେରିକା ଅନେକ ଥର କାର୍ୟ୍ୟାନୁଷ୍ଠାନ ପାଇଁ ଧମକ ମଧ୍ୟ ଦେଇଥିଲା । ଉତ୍ତର କୋରିଆ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା, କିନ୍ତୁ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts