
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାଜୁ ଥେଠ ଗୁଳିମାଡ଼ରେ ପ୍ରାଣ ହରାଇଛି। ଶନିବାର ରାଜସ୍ଥାନର ସିକାର ଅନ୍ତର୍ଗତ ଉଦୟ ନଗର ଅଞ୍ଚଳରେ ରାଜୁକୁ ୪ ଜଣ ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟାର କରିଛନ୍ତି। ରାଜୁ ଏଠାରେ ଥିବା ନିଜ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ସକାଳୁ ସକାଳୁ ଏପରି ଘଟଣା ଘଟିଛି।
୪ ଦୁର୍ବୃତ୍ତ ଗୁଳିମାଡ଼ କରିବା ପରେ ରାସ୍ତାରେ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ସେମାନେ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି।
ତେବେ ଦୀର୍ଘଦିନ ହେଲା ରାଜୁ ଓ ଆନନ୍ଦପଲ ଗ୍ୟାଙ୍ଗ ମଧ୍ୟରେ ବିବାଦ ଜାରି ରହିଥିଲା। ତେଣୁ ରାଜୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଆନନ୍ଦପଲ ଗ୍ୟାଙ୍ଗ ଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାତ ମିଳାଇଥିଲା। ତେଣୁ ସେମାନେ ରାଜୁକୁ ହତ୍ୟା କରିଥିବା କୁହାଯାଉଛି। ଗୁଳିମାଡ଼ରେ ରାଜୁର ମୃତ୍ୟୁ ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ କରିଛି।
ଅନ୍ୟପଟେ ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପେଶାଦାର ଅପରାଧୀ ରୋହିତ ଗୋଦରା ନିଜକୁ ଦାୟୀ କରି ଗୋଟିଏ ବିବୃତି ଜାରି କରିଛି। ଏଥିସହ ଆନନ୍ଦପଲ ଓ ବଲବୀରଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ରାଜୁ ମରିବା ପରେ ପୂରଣ ହୋଇଛି ବୋଲି ସେ କହିଛି। ରାଜୁକୁ ଗୁଳିମାଡ଼ କରାଯିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ୪ ଜଣ ଦୁର୍ବୃତ୍ତ ରାଜୁକୁ ଟାର୍ଗେଟ କରି ଗୁଳିମାଡ଼ କରୁଥିବାର ଦୃଶ୍ୟ ରହିଛି। ଘଟଣା ପାଇଁ ନିଜକୁ ଦାୟୀ କରିଥିବା ରୋହିତ ଏବେ ଲରେନ୍ସ ଓ ଗୋଲ୍ଡୀ ବ୍ରାରର ଅପରାଧିକ ନେଟୱର୍କ ଆଜେରବୈଜାନରେ ରହି ଅପରେଟ କରୁଛି। ଭାରତରେ ତା’କୁ ମୋଷ୍ଟୱାଣ୍ଟେଡ ଘୋଷଣା କରାଯାଇଛି।
ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ର ଅନୁସାରେ, ରାଜୁ ଥେଠ କୁ ହତ୍ୟା କରିବା ପାଇଁ ତାର ପ୍ରତିପକ୍ଷ ଗ୍ୟାଙ୍ଗର ସଦସ୍ୟମାନେ ୧୦ ବର୍ଷ ତଳୁ ହିଁ ଯୋଜନା କରିଥିଲେ। ରାଜୁ ଏକଦା ଜେଲରେ ଥିବା ବେଳେ ସେଠାରେ ଆନନ୍ଦପଲକୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ଆନନ୍ଦପଲ ମଧ୍ୟ ରାଜୁର ଆକ୍ରମଣରେ ପ୍ରାଣ ହରାଇଥିଲା। ଏହି ଘଟଣା ପରେ ଆନନ୍ଦପଲର ଗର୍ଲଫ୍ରେଣ୍ଡ ଅନୁରାଧା ପ୍ରତିଶୋଧ ନେବା ପାଇଁ ଲରେନ୍ସ ବିଷ୍ଣୋଇ ଓ କାଲା ଜାଥେଡି ଗ୍ୟାଙ୍ଗ ସହ ହାତ ମିଳାଇଥିଲା। ସେବେଠାରୁ ରାଜୁକୁ ମାରିବା ପାଇଁ ଯୋଜନା ଚାଲିଥିଲା। ଏବେ ଲରେନ୍ସ ଓ କାଲା ଜାଥେଡି ଗ୍ୟାଙ୍ଗ ମିଳିତ ଭାବେ ରାଜୁକୁ ମାରିଥିବା କୁହାଯାଉଛି। ତେବେ ଏହି ଘଟଣା କିଛି ଦିନ ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଥିବା ଲିଙ୍କର ତଦନ୍ତ କରି ଅନୁରାଧାକୁ ଗିରଫ କରିଥିଲା।