(ସତ୍ୟପାଠ ବ୍ୟୁରୋ): ଏଆଇସିସି ପକ୍ଷରୁ ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯାଇଛି । ଘାସୀରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ଗତକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଜି କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ଗତ ନିର୍ବାଚନରେ କଂଗ୍ରେସ ଟିକେଟ ଆଶାୟୀ ଥିବା ଘାସୀରାମ ମାଝୀଙ୍କୁ ଦଳ ଟିକେଟ ଦେଇନଥିଲା । ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଏଠାରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ । ହେଲେ ନିଜ ସାଙ୍ଗଠନିକ ଦକ୍ଷତା ବଳରେ ଘାସୀରାମ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ । ହେଲେ ଏଥର କଂଗ୍ରେସ ନିଜ ଭୁଲ ସୁଧାରି ଘାସୀରାମଙ୍କୁ ହିଁ ପ୍ରାର୍ଥୀ କରିଛି ।
ସେପଟେ ନୂଆପଡ଼ା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ସରକାରରେ ଥିବାରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କର ନଜର ରହିଛି । ଚର୍ଚ୍ଚା ଆଲୋଚନା ଭିତରେ ବିଜେପିର ଓଡ଼ିଶା ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ପ୍ରାର୍ଥୀ ଚୟନରେ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ତେଣୁ ପୁରୁଣା, ନୂଆ ନା ସରପ୍ରାଇଜ ମୁହଁ ସାମ୍ନାକୁ ଆଣିବ ଦଳ ତାହା ଏବେ ସବୁଠୁ ବଡ଼ ସସପେନ୍ସ । ସେପଟେ ବିଜେଡି ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ । ହେଲେ ଦଳ ଏନେଇ ବିଧିବଦ୍ଧ ଘୋଷଣା କରିନାହିଁ।





