ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ; ବିଧାନସଭାରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର,୨୪/୩ (ସତ୍ୟପାଠ ବ୍ୟୁରୋ): ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭ ପ୍ରତିଶତ ରହିଛି । ଆଜି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଶିଳ୍ପ ଓ ନିଯୁକ୍ତି ଉପରେ ପ୍ରଶ୍ନ କରିଥିଲେ ।ତାଙ୍କର ପ୍ରଶ୍ନ ଥିଲା, ଓଡ଼ିଶାରେ ନୂଆ ଶିଳ୍ପନୀତି ପରେ କେତେ ଟଙ୍କାରେ କେତୋଟି ଶିଳ୍ପ ପ୍ରତିଷ୍ଠା ହୋଇସାରିଛି । ଏଥିରେ କେତେ ଲୋକ ନିଯୁକ୍ତି ପାଇଛନ୍ତି । କେତୋଟି ମୂଳ ଶିଳ୍ପ କେତେ ମଧ୍ୟମ ଶିଳ୍ପ ସ୍ଥାପନ ହୋଇଛି।

ଏହାର ଉତ୍ତରରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭ ପ୍ରତିଶତ ରହିଛି । ରାଜ୍ୟରେ ନୂତନ ଶିଳ୍ପ ନୀତି ଗତ ୨୦୨୨ ଡିସେମ୍ବରରୁ ପ୍ରଣୟନ ହୋଇଛି । ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ଶିଳ୍ପ ପାଇଁ ୭୪୧ଟି ଆଗ୍ରହ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେଲେ, ରାଜ୍ୟକୁ ୧୦ଲକ୍ଷ ୪୮ହଜାର ୮୦୭କୋଟି ପୁଞ୍ଜି ନିବେଶ ଆସିବ । ଏଥିରେ ୧୦ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ । ଏ ଯାଏଁ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ ଆଡଭାଇଜରୀ କମିଟି ଓ ପ୍ଲାଣ୍ଟ ଲେବେଲ ଆଡଭାଇଜରୀ କମିଟି ଜରିଆରେ ଜିଲ୍ଲାସ୍ତରରେ ଅନୁମୋଦନ ମିଳୁଛି ।

ମେକ ଇନ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୨ଲକ୍ଷ ୩ହଜାର ୨୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । ୫୮ଟି ଶିଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ଟି ଶିଳ୍ପ କାମ ଚଳାଇଛନ୍ତି । ୪ ଟି ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ଆଉ ୮ଟି ଖୁବଶୀଘ୍ର ଉତ୍ପାଦନ ଆରମ୍ଭ କରିବେ । ସେହିପରି ମେକ ଇନ ଓଡ଼ିଶା ୨୦୧୮ରେ ୨୦୨ ଟି ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରେ ୪ଲକ୍ଷ ୨୩ ହଜାର ୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା । ୧୦ଶିଳ୍ପକୁ ଅନୁମୋଦନ ମିଳିଥିବାବେଳେ ୭୧ ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି ।

ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ଉତ୍ତର ଦେଇଛନ୍ତି, ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ । କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ । ଏଥିପାଇଁ 36 ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଯେଉଁଥିରେ ଅଧିକାଂଶ TATA କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ୍ କରାଯିବ ବୋଲି ସେ କହିଛନ୍ତି ।

Related Posts