ରଦ୍ଦ ହେଲା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ

ଭୁବନେଶ୍ୱର,୨୪/୩ (ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ। ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ପରେ ରଦ୍ଦ ହେଲା ସଦସ୍ୟତା। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ। କାଲି ରାହୁଲଙ୍କୁ ‘ମୋଦି ସରନେମ୍’ ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା।

ସେପଟେ ଏହି ମାମଲାରେ ଜରୁରୀ ବୈଠକ ଡାକିଛି କଂଗ୍ରେସ । ଏଆଇସିସି ଦିଲ୍ଲୀ ମୁଖ୍ୟାଳୟରେ ଆଜି ବୈଠକ ହେବ ନେଇ ଜଣାପଡ଼ିଛି। ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, ସମସ୍ତ ରାଜ୍ୟର ବିଧାୟକ ଦଳ ନେତାଙ୍କୁ ଡାକରା ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ କରିବେ। ଏହି ମାମଲାରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବା ସହିତ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ମଧ୍ୟ ଦେଇ ପାରେ। ଏହି ବୈଠକରେ ଦଳର ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ମୋଦୀ ସରନେମ୍ କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ରାହୁଲଙ୍କ ସାଂସଦ ପଦ ବଜାୟ ରହିବା ନେଇ ସାମ୍ବାଧାନିକ ପ୍ରଶ୍ନ ଉଠିଛି। ପ୍ରାୟ ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ନିଜେ ଚିରି ଫିଙ୍ଗି ଦେଇଥିଲେ ଆଜି ସେ ସେହି ଆଇନ ପରିଧି ଫାନ୍ଦରେ ପଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୪)ରେ ପରିବର୍ତ୍ତନ ଆଣିବା ସହିତ ଧାରା ୮(୩) ପ୍ରଣୟନ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ , ବିଧାୟକ କିମ୍ବା ବିଧାନସଭା ପରିଷଦ ସଭ୍ୟ କୌଣସି ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କର ସାମ୍ବିଧାନିକ ପଦ ରଦ୍ଦ କରାଯାଇପାରିବ।

ତେବେ ଏହା ବିରୋଧରେ ତତ୍‌କାଳୀନ ମନମୋହନ ସିଂହ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ମଧ୍ୟ ସାଂସଦ ରାହୁଲ ଏହାକୁ ଚିରି ଫୋପାଡି ଦେଇଥିଲେ। ଅର୍ଥାତ୍‌ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ରାହୁଲ ସେତେବେଳେ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏହି ଆଇନ ବଳୟରେ ପଡ଼ିଯାଇଛନ୍ତି। ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ ସୁରତ୍‌ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବାରୁ ଏବେ ଲୋକସଭା ସଚିବାଳୟ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରିଛି।

ତେବେ ଯଦି ହାଇକୋର୍ଟ ଜିଲ୍ଲା କୋର୍ଟ ଦେଇଥିବା ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ରାହୁଲଙ୍କ ଅଡୁଆ ଆହୁରି ବଢିପାରେ। ଉଚ୍ଚ ନ୍ୟାୟାଳୟ ଯଦି ଏହି ରାୟ ଉପରେ ରୋକ ନ ଲଗାଇବେ, ତା’ହେଲେ ରାହୁଲଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି କୁହାଯାଉଛି।

Related Posts