ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ: ସ୍ବାଭାବିକ ରହିଛି ଯାନବାହାନ ଚଳାଚଳ, ଗଡ଼ୁଛି ମୋ ବସ

ଭୁବନେଶ୍ବର: ଆଜି ଓଡିଶା ବନ୍ଦ । ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାକୁ ନେଇ ଦିଆଯାଇଛି ବନ୍ଦ ଡାକରା । ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି। ବନ୍ଦ ଡାକରାକୁ ଅନେକ ସଂଗଠନ ସମର୍ଥନ ଜଣାଇଛନ୍ତି ।

ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସକାଳେ ସ୍ବାଭାବିକ ଥିବାର ସୂଚନା ରହିଛି।

କଟକ-ଭୁବନେଶ୍ବରରେ ମୋ ବସ୍ ଚଳାଚଳ କାରୁଛି। ତେବେ ଆଜି ସକାଳେ ଚାଲୁଥିବା ବସଗୁଡ଼ିକରେ ବିଶେଷ ଯାତ୍ରୀ ହେଉନଥିବା ପରିଲକ୍ଷିତ ହେଉଛି।ଏଯାଏ କୌଣସି ସ୍ଥାନରେ ରାସ୍ତା ଅବରୋଧ ବା ପିକେଟିଂର ଖବର ଆସିନାହିଁ।ଏଣେ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତ ଯେପରି ନ ଘଟେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଧିକାଂଶ ବଡ଼ବଡ଼ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ଅବଶ୍ୟ ସମର୍ଥନ ଦିଆଯାଇଛି। ରବିବାର ଦିନ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ସୋମବାର ଦିନ ସମୃଦ୍ଧ ଓଡ଼ିଶା ଯୁବ ବାହିନୀ ଭଳି ଅନେକ ସଂଗନ ସମର୍ଥନ ଜଣାଇଛନ୍ତି।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦକୁ ଜୋରଦାର କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ କହିଛନ୍ତି। ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତା ଠାରୁ ଆରମ୍ଭ କରି ପ୍ରତି କଲେଜ୍ ସମ୍ମୁଖରେ ଦୃଢ଼ ପ୍ରତିବାଦ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଏଣେ ଭୁବନେଶ୍ବରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ କୁହାଯାଇଛି। ଆଜି କୌଣସି ବାହାରର ଲୋକଙ୍କୁ ଲୋକସେବା ଭବନକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ସେହିପରି ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳରେ ସୋମବାର ରାତିରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

Related Posts