ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବିଗତ ଦିନରେ ଓଡ଼ିଶାକୁ ଦେଶର ପ୍ରମୁଖ ଗଣମାଧ୍ୟମମାନେ ଅବହେଳା କରୁଥିବାର ପ୍ରଶ୍ନ ଅନେକଙ୍କ ମୁହଁରୁ ଆମେ ଶୁଣି ଆସିଥିଲୁ। ଏହା ମଧ୍ୟରେ ଆମେ ଯଦି ଦେଖିବା ବିଗତ କିଛି ଦିନରେ ଅର୍ଥାତ୍ ମାତ୍ର ଗୋଟିଏ ସପ୍ତାହରେ ସେ ଅବହେଳା ପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଛି । ଏସବୁ କହିବାର ତାତ୍ପର୍ୟ ଏଇୟା ଯେ କଣାସ ଓ ହିଞ୍ଜିଳି ପରେ ବାଲିଅନ୍ତା ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଜାତୀୟ ସ୍ତରରେ ନିନ୍ଦିତ ହୋଇଛି ।

ଏପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡି ପଡିଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଆଜି ଦଳର ୨ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଓ ଲୋରା ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଓଡ଼ିଶାରେ ଶାସନ ଓ ସରକାର ନାହିଁ। ଅପରାଧର ପୃଷ୍ଠଭୂମି ପାଲଟିଛି ଓଡ଼ିଶା ।ଏପରି ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ହେବା ଦରକାର । ଅପରାଧ ଘଟୁଥିଲେ ବି ମୁଖ୍ୟମନ୍ତ୍ରୀ ନୀରବ। ମହିଳା ଓ ଶିଶୁ ଉପରେ ଅତ୍ୟାଚାର ବଢୁଛି। ସେହିପରି ବିଜେଡି ଆହୁରି କହିଛି ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ।

ଓଡ଼ିଆ ଲୋକଙ୍କୁ ଅଶାନ୍ତ କଲା କିଏ ? ବିଜେପି ସରକାରକୁ ଆସିବା ପରେ ମହିଳା ହିଂସା ଦୃତ ଗତିରେ ବଢୁଛି। ମହିଳା ହିଂସା ୮ ପ୍ରତିଶତ ବଢ଼ିଛି। ଯୌନ ନିର୍ଯାତନାରେ ଓଡ଼ିଶା ପ୍ରଥମ। ମହିଳାଙ୍କ ପାଇଁ ବିପଦଜନକ ରାଜ୍ୟ ପାଲଟିଛି ଓଡ଼ିଶା। ଆମେରିକା ଆଡଭାଇଜରି ଜାରି କରିଛି ଓଡ଼ିଶା ନ ଆସିବାକୁ। ହିଂସାର ବର୍ବରତାର ଚରମ ସୀମାର ପହଞ୍ଚିଛି ଓଡ଼ିଶା।ନିକଟରେ ଢେଙ୍କାନାଳରେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ପଥରରେ ଛେଚି ମାରିବାକୁ ଉଦ୍ୟମ, ହିଞ୍ଜିଳିରେ ୩ ବର୍ଷ ଶିଶୁ ସାମ୍ନାରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, କଣାସ ରେ ବାଡେଇ ମାରିବା ସହ ବୁଲେଟ ଚଢ଼େଇ ଦିଆଯିବା ଓ ବାଲିଅନ୍ତାରେ ଯୁବକଙ୍କୁ ପିଟି ମାରିବା ଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା।

ଆଉ ଏକ ଗୁରୁତର ଅଭିଯୋଗ ଆଣି ବିଜେଡି କହିଛି ପୋଲିସ କର୍ମଚାରୀଙ୍କୁ ଆଇନଶୃଙ୍ଖଳା ରୋକିବା ବଦଳରେ ବଡ ଅଫିସରଙ୍କ ବ୍ୟକ୍ତିଗତ କାମ ଓ ଭିଆଇପି ଦାୟିତ୍ବ ଦିଆଯାଇଛି। ବାଲିଅନ୍ତା ଘଟଣାରେ ମୃତ ସୌମ୍ୟ ଜଣେ ADG ଙ୍କ ଜିମରେ କାମ କରୁଥିଲେ ବୋଲି ତାଙ୍କ ମା କହୁଛନ୍ତି ।ADG ଙ୍କ ଏକାଧିକ ଜିମ ରହିଛି। ଏହି ଜଣେ ଅଫିସର ନା ଅନ୍ୟ ଅଫିସର ବି ଏଭଳି ବ୍ୟବସାୟରେ ମାତୁଛନ୍ତି। ଓଡ଼ିଶାରେ କିଛି ଶାସନ ନାହିଁ। କେବଳ PMO ରୁ ଯାହା ଆସୁଛି ତାହା କାର୍ଯ୍ୟକାରୀ କରୁଛନ୍ତି।ପୋଲିସ ପ୍ରତି ଭୟ ନାହିଁ,ତେଣୁ ଏଭଳି ଘଟୁଛି। ଏଭଳି ଘଟଣା ଘଟିବା ଅପରେସନ ଲୋଟସର ଫଳାଫଳ ବୋଲି ବିଜେଡି କହିଛି ।