
ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ। ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ୧୯୯୯ ଅକ୍ଟୋବର ୨୯ ତାରିଖରେ ଆସିଥିବା ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଓଡ଼ିଶା। ଏହି ଧ୍ୱଂସ ଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ କୈାଣସି ପ୍ରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଏହି ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଇଥାଏ।
ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମେସେଜ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଣିଷ ଜୀବନ ଠାରୁ ଆଉ କିଛି ମୂଲ୍ୟବାନ ନାହିଁ । ପିଆରଆଇ ମେମ୍ବର, ଆଶା, ଅଙ୍ଗନବାଡି, ଏସଏଚଜି ମହିଳାଙ୍କ ସହଯୋଗରେ ଆଜି ବିପର୍ଯ୍ୟୟ ମୁକବିଳାରେ ରାଜ୍ୟ ନମ୍ବର ୧ ହୋଇପାରିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ଏହି ଉତ୍ସବରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯୋଗଦେଇ କହିଛନ୍ତି ଯେ, ମହାବାତ୍ୟାକୁ ୨୩ ବର୍ଷ ବିତିଛି । ଦୀର୍ଘ ୨୩ ବର୍ଷ ଭିତରେ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି। ଆଜି ରାଜ୍ୟରେ ବିପର୍ଯ୍ୟୟ ଆସିଲେ ବହୁତ କମ ସମୟ ଭିତରେ ଲୋକଙ୍କୁ ସ୍ଥାନାନ୍ତରଣ, ଉଦ୍ଧାର କରାଯାଇପାରୁଛି । ଯେଉଁଥିପାଇଁ ସମସ୍ତ ଜୀବନ ରକ୍ଷା ହୋଇପାରିଛି । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ପ୍ରକାର ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ବାତ୍ୟା, ବନ୍ୟା, ଅଗ୍ନି, କେମିକାଲ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ । ଏହା ସହିତ ସାପ କାମୁଡ଼ାରେ ଅଧିକ ଲୋକ ମୃତ୍ୟୁବରଣ କରୁଥିବାରୁ କିପରି ଲୋକଙ୍କୁ ରକ୍ଷା କରାଯାଇପାରିବ ସେଥିପାଇଁ ସରକାର ଖୁବଶୀଘ୍ର ଅଭିଯାନ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ରାଜ୍ୟକୁ ଯେତେବେଳ ବି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଜିରୋ କାଜୁଆଲିଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଜଳ,ବାୟୁ ପରିବର୍ତ୍ତନ ଯୋଗୁ ବାତ୍ୟା ବନ୍ୟା ଆକଳନ କଷ୍ଟକର ହୋଇପଡୁଛି । ତେଣୁ ଏଥିରେ କ୍ଷୟକ୍ଷତି କମାଇବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ।ଏହାସହ ସମ୍ବଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ବିଦେଶ ଏନଜିଓ ମିଶି କାମ କରିବାର ଆବଶ୍ୟକତା ରହିଛି । ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ପାଣି ବୁଡି, ସାପ କାମୁଡାରେ ଓ ନିଆଁରେ ପୋଡି ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯାହାକୁ ଆମକୁ କମାଇବାକୁ ପଡିବ ବୋଲି ସେ କହିଛନ୍ତି।
ଏଥିସହ ଏହି କାର୍ଯ୍ୟକ୍ରମ ଅବସରରେ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟବହୃତ ଉପକରଣକୁ ପ୍ରଦର୍ଶିତ କରାଯାଇଥିଲା ।